ରାଜପଥରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ବଅଁରପାଳ,୯ା୯(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲା ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ପୂଜା ସାହୁ (୧୧)ଙ୍କ ଗୁରୁବାର ଦୁର୍ଘଟଣାରେ ମୃତ୍ୟୁ ପରଠାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଶୁକ୍ରବାର ଅପରାହ୍ନ ୧ଟାରୁ ଛାତ୍ରୀଛାତ୍ରମାନେ ୫୫ନଂ. ଜାତୀୟ ରାଜପଥ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରଶାସନିକ ଅଧିକାରୀମାନେ ବୁଝାଶୁଝା ଚଳାଇଥିଲେ ମଧ୍ୟ ରାସ୍ତାରୋକୋ ଜାରି ରହିଥିବାରୁ ରାତି ଯାଏ ରାଜପଥ ଉପରେ ସହସ୍ରାଧିକ ଗାଡ଼ି ଅଟକି ରହିଛି।
ପ୍ରକାଶ ଯେ, ଗୁରୁବାର ସ୍କୁଲ ଛୁଟି ପରେ ପୂଜା ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍‌ ୫୫ନଂ. ଜାତୀୟ ରାଜପଥର ହାଟ ଛକଠାରେ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୂଜାଙ୍କ ମୃତ୍ୟୁ ହୋଇଥିଲା। ସ୍କୁଲ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍କୁଲ ଆସିବା ଓ ଯିବା ସମୟରେ ରାଜପଥରେ ଟ୍ରାଫିକ କଣ୍ଟ୍ରୋଲ କରିବା, ସକାଳ ୮ଟାରୁ ରାତି ୧୦ଟା ଯାଏ ଭାରିଯାନ ଚଳାଚଳ ବନ୍ଦ ରଖିବା ଦାବିରେ ଅପରାହ୍ନ ୧ଟାରୁ ଛାତ୍ରୀଛାତ୍ରମାନେ ରାଜପଥରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏପରି କି ପୂର୍ବାହ୍ନ ୧୦ଟାରୁ ସେମାନେ ସ୍କୁଲରୁ ରାଜପଥକୁ ଚାଲି ଆସିବାକୁ ଉଦ୍ୟମ କରିଥିଲେ ହେଁ କର୍ତ୍ତୃପକ୍ଷ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ହେଲେ ଅପରାହ୍ନରେ ଛାତ୍ରୀଛାତ୍ରମାନେ ତାଲା ଭାଙ୍ଗି ରାଜପଥରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନଙ୍କୁ ପାଞ୍ଚଗଡ଼ ସୋମନାଥ ସିଂହ ମହାବିଦ୍ୟାଳୟର କେତେଜଣ ଛାତ୍ରୀଛାତ୍ର ସହଯୋଗ କରିବାରୁ ଆନ୍ଦୋଳନ ଜୋର୍‌ଦାର ହୋଇଥିଲା। ସେମାନେ ବଅଁରପାଳ ମୁଖ୍ୟଛକର ତିନି ଦିଗକୁ ଯାଇଥିବା ରାସ୍ତାକୁ ଅବରୋଧ କରିଥିଲେ। ମୃତା ଛାତ୍ରୀ ପୂଜା ସାହୁଙ୍କ ଫଟୋଚିତ୍ର ଧରି ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ସୁକାନ୍ତ କୁମାର ନାୟକ ଓ ବଅଁରପାଳ ଥାନା ଅଧିକାରୀ ନିରୁପମା ଜେନା ପହଞ୍ଚି ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ପରେ ଉପଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି ପହଞ୍ଚି ଆଲୋଚନା କରିଥିଲେ। ହେଲେ ଛାତ୍ରୀଛାତ୍ରମାନେ ଜିଲାପାଳ ଘଟଣାସ୍ଥଳକୁ ଆସନ୍ତୁ ବୋଲି ଅଡ଼ିବସିବା ସହ ଆନ୍ଦୋଳନ ଜାରି ରଖିଥିବାରୁ ରାତି ଯାଏ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ଜଗି ରହିଛନ୍ତି।