ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ମୁଖ୍ୟତଃ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ପରିବେଷଣ, ଜଳ ଯୋଗାଣରେ ଅନିୟମିତତା ଆଦି ମୌଳିକ ସୁବିଧାସୁଯୋଗର ଅଭାବ ଏବଂ ବିଶ୍ବବିଦ୍ୟାଳୟରେ ୟୁନିଫର୍ମ(ଡ୍ରେସକୋଡ଼) ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ଦୃଢ଼ ବିରୋଧ କରିଛନ୍ତି।
ପ୍ରତିବାଦରେ ଦ୍ବିତୀୟ ବର୍ଷ ଛାତ୍ରୀଛାତ୍ର ବିଶ୍ବବିଦ୍ୟାଳୟର ପ୍ରଶାସନିକ କୋଠା ଓ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ବିଶେଷକରି ବିଶ୍ବବିଦ୍ୟାଳୟର ଡ୍ରେସକୋଡ଼ ବାଧ୍ୟତାମୂଳକ ନିୟମକୁ ଛାତ୍ରୀଛାତ୍ର ଅସହ୍ୟ ଦର୍ଶାଇ ଏହାକୁ ବାତିଲ କରିବାକୁ ଦାବି କରିଛନ୍ତି। କର୍ତ୍ତୃପକ୍ଷ ଯଥାଶୀଘ୍ର ଏହି ସମସ୍ୟାଗୁଡ଼ିକର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଆନ୍ଦୋଳନ ସ୍ଥଳକୁ ଆସି ଭିସୁଟ କର୍ତ୍ତୃପକ୍ଷ ଆନ୍ଦୋଳନରେ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରି ବିଫଳ ହୋଇଥିବା ସୂଚନା ମିଳିଛି।

 

Dharitri – Odisha’s No.1 Odia Daily