ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅଭିଯାନରେ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଯୋଗଦେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ଭାଗନେବାକୁ ନିର୍ଦ୍ଦେଶ ରହିଥିବା କୁହାଯାଇଛି। ତେବେ ଏହି ନିର୍ଦ୍ଦେଶର ବ୍ୟତିକ୍ରମ କରି କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିକଟସ୍ଥ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କେତେଜଣ ଛାତ୍ରୀଙ୍କୁ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି।

ଛାତ୍ରୀମାନେ ପିଆଜ କାଟିବା, ଅଣ୍ଡାର ଖୋଳ ଛଡ଼ାଇବା ସମେତ ବିଭିନ୍ନ ରୋଷେଇ କାମରେ ବ୍ୟସ୍ତ ଥିବା ଦେଖାଯାଇଥିଲା। ଫଳରେ ସେମାନଙ୍କୁ ପ୍ରତିଯୋଗିତାରେ ସାମିଲ ନକରି ରୋଷେଇ କାର୍ଯ୍ୟରେ କାହିଁକି ନିୟୋଜିତ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଅଭିଯୋଗ ଅନୁଯାୟୀ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ଛାତ୍ରୀମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରାଯିବା ଘଟଣା ଏହା ପ୍ରଥମ ନୁହେଁ। ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନଥିବା କୁହାଯାଇଛି।

ଏହି ଘଟଣାକୁ ନେଇ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅର୍ଥ କେଉଁଠି ଖର୍ଚ୍ଚ ହେଉଛି ଏବଂ ରୋଷେଇ ପାଇଁ ଛାତ୍ରୀମାନଙ୍କୁ କାହିଁକି ନିୟୋଜିତ କରାଗଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛାତ୍ରୀମାନଙ୍କୁ ଏଭଳି କାର୍ଯ୍ୟରେ କିଏ ଓ କେଉଁ ଉଦ୍ଦେଶ୍ୟରେ ନିୟୋଜିତ କରିଥିଲେ, ତାହା ତଦନ୍ତସାପେକ୍ଷ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଘଟଣା ପ୍ରଘଟ ହେବା ପରେ ଛାତ୍ରୀମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜନ କରାଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Share