ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା ପରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ବଦଳିବାକୁ ଲାଗିଛି ମାହୋଲ। ଏହାରି ଭିତରେ କଳାହାଣ୍ଡିର ସର୍ବପୁରାତନ ଶିକ୍ଷାନୁଷ୍ଠାନ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏହାର ପ୍ରଭାବ ଦେଖାଦେଇଛି। ପୂର୍ବରୁ ମହାବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଭାବେ ଥିବା ସମୟରୁ ଏହି ଅନୁଷ୍ଠାନ ଅନେକ ଛାତ୍ରନେତାଙ୍କୁ ରାଜନୈତିକ ମଞ୍ଚକୁ ଆଣିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଭଳି ଅନେକ ନେତାଙ୍କ ଛାତ୍ରଜୀବନ ଏହି ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ଏଠାରେ ଛାତ୍ର ରାଜନୀତିର ଏକ ପୁରୁଣା ପରମ୍ପରା ରହିଛି।
୨୦୧୮ରେ ଶେଷଥର ଛାତ୍ରସଂସଦ ନିର୍ବାଚନ ହୋଇଥିଲା। ଏହାପରେ ଦୀର୍ଘ ୮ ବର୍ଷ ଧରି ନିର୍ବାଚନ ବନ୍ଦ ରହିଛି। ଏହି ଦୀର୍ଘ ବ୍ୟବଧାନରେ କ୍ୟାମ୍ପସକୁ ଆସିଥିବା ନୂଆ ପିଢ଼ିର ଅନେକ ଛାତ୍ରୀଛାତ୍ର ଛାତ୍ରସଂସଦ ନିର୍ବାଚନକୁ ପ୍ରତ୍ୟକ୍ଷ ଭାବେ ଦେଖିନାହାନ୍ତି। ଚଳିତ ବର୍ଷ ନିର୍ବାଚନ ହେଲେ ଭୋଟ ଦେଇ ନିଜ କ୍ୟାମ୍ପସର ଛାତ୍ର ପ୍ରତିନିଧି ବାଛିବା ସହ ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଜାଣିବାର ସୁଯୋଗ ପାଇବେ ବୋଲି କଳାହାଣ୍ଡି ଛାତ୍ର ସଂଘ ସଭାପତି ଉମାକାନ୍ତ ନିଆଲ ପ୍ରକାଶ କରିଛନ୍ତି। କିଛିମାସ ତଳେ ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଛାତ୍ର ସଂଗଠନ ଓ ଅଖିଳ ଭାରତ ଛାତ୍ର ସଂଘ ପକ୍ଷରୁ ଛାତ୍ର ଆନ୍ଦୋଳନ ହୋଇଥିଲା। ପରୀକ୍ଷା ସମୟରେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ମଧ୍ୟ କ୍ୟାମ୍ପସରେ ଅସନ୍ତୋଷ ଦେଖାଦେଇଥିଲା। ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ କରାଯାଇଥିବା ଅଭିଯୋଗକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଭିଯୋଗ ଓ ପ୍ରତିବାଦ ସାମ୍ନାକୁ ଆସିଥିଲା। ଏସବୁ ଘଟଣା କ୍ୟାମ୍ପସରେ ଛାତ୍ର ସଂଗଠନଗୁଡ଼ିକର ସକ୍ରିୟତାକୁ ସାମ୍ନାକୁ ଆଣିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ଯଦି ଛାତ୍ରସଂସଦ ନିର୍ବାଚନ ହୁଏ, ତେବେ ବିଶ୍ୱବିଦ୍ୟାଳୟ ଭାବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏହା ହେବ ପ୍ରଥମ ଛାତ୍ରସଂସଦ ନିର୍ବାଚନ। ଏହା କେବଳ ଛାତ୍ର ପ୍ରତିନିଧି ବାଛିବାର ନିର୍ବାଚନ ନୁହେଁ, ବରଂ ଆଗାମୀ ଦିନରେ କ୍ୟାମ୍ପସରେ କେଉଁ ଛାତ୍ର ସଂଗଠନର ପ୍ରଭାବ ବଢ଼ିବ, କେଉଁ ନୂଆ ଛାତ୍ରନେତା ସାମ୍ନାକୁ ଆସିବେ ଏବଂ ଛାତ୍ର ସମସ୍ୟାକୁ କିଏ କେତେ ଜୋରଦାର ଉଠାଇବ ତାହା ମଧ୍ୟ ଭାଗ୍ୟ ପରୀକ୍ଷା ହୋଇପାରେ। ନିର୍ବାଚନ ହେଲେ ଏହା ନୂଆ ପିଢ଼ିର ଛାତ୍ରୀଛାତ୍ରଙ୍କୁ ନିଜ ପ୍ରତିନିଧି ବାଛିବାର ସୁଯୋଗ ଦେବ। ତେବେ ନିର୍ବାଚନ ନେଇ ଚୂଡ଼ାନ୍ତ ଘୋଷଣା କେବେ ହେବ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ପ୍ରକ୍ରିୟା କିପରି ଆଗକୁ ବଢ଼ିବ ତା’ ଉପରେ ଛାତ୍ରୀଛାତ୍ରଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily

 

Share