ଲୋଇସିଂହା, ୧୪।୭ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଜଣେ ଶିକ୍ଷକ କୌଣସି କାରଣରୁ ମାଡ଼ ମାରିଥିବା ଅଭିଯୋଗକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଅଭିଭାବକ ଓ ଗ୍ରାମବାସୀ ପ୍ରତିବାଦ ସ୍ବରୂପ ସମ୍ପୃକ୍ତ ଶିକ୍ଷକଙ୍କୁ ପ୍ରାୟ ୩ଘଣ୍ଟାରୁ ଊଦ୍ଧର୍ବ ସମୟ ଧରି ବିଦ୍ୟାଳୟର ଗୋଟିଏ ଶ୍ରେଣୀରେ ତାଲା ପକାଇ ଦେଇଥିଲେ। ଖବରପାଇ ବଲାଙ୍ଗୀର ସଦର ପୋଲିସ ସ୍କୁଲରେ ପହଞ୍ଚି ସାରେ ଉଦ୍ଧାର କରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ, ଉପରବାହାଲ ଉଚ୍ଚ ବିଦ୍ୟାଳୟର ସମ୍ପୃକ୍ତ ଛାତ୍ରଙ୍କୁ ଅପରାହ୍ନ ସମୟରେ ଶୌଚ ହେବାକୁ ବିଦ୍ୟାଳୟ ଶୌଚାଳୟକୁ ଯାଇଥିଲେ। କିନ୍ତୁ ସେତିକି ବେଳେ ଶୌଚାଳୟରେ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାଗ ଥିଲେ। ଶୌଚାଳୟରେ ଶିକ୍ଷକଙ୍କୁ ଦେଖି ଛାତ୍ର ଜଣଙ୍କ ଫେରି ଆସିଥିଲେ। ଶୌଚାଳୟରୁ ବାହାରି ଶିକ୍ଷକ ନାଗ ସମ୍ପୃକ୍ତଛାତ୍ରଙ୍କୁ ଚାପୁଡ଼ା, ଗୋଇଠା ଓ ଲାତ ମାରିଥିଲେ। ଛୁଟି ପରେ ଛାତ୍ର ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ଥିଲେ। ଏତିକି ବେଳେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ବୈଠକ ବସିଥିଲା। ସମ୍ପୃକ୍ତ ଛାତ୍ର ଏବଂ ଅଭିଭାବକଙ୍କ ଠାରୁ ଅଭିଯୋଗ ଶୁଣିଲା ପରେ ବୈଠକରେ ଉପସ୍ଥିତ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଜଟିଳ ହୋଇ ପଡ଼ିଥିଲା। ପ୍ରତିବାଦ ସ୍ବରୂପ ଉତ୍ତେଜିତ ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବି କରିବା ସହ ଏକ ଶ୍ରେଣୀରେ ତାଲା ପକାଇ ଦେଇଥିଲେ। ଏ ସମ୍ପର୍କରେ ବିଇଓ ନାରାୟଣ ଭୂଏଙ୍କୁ ପଚାରିବାରୁ ଘଟଣା ସତ। କ’ଣ ପାଇଁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାର ପ୍ରକୃତ କାରଣ ଜଣା ପଡ଼ିନାହିଁ। କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ପୋଲିସ ସୂଚନା ପାଇବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଉତ୍ତେଜିତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ ବୋଲି ସେ କହିଛନ୍ତି।