ଆଡ୍‌ମିଶନ ନ ମିଳିବାରୁ ୨ ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

କାନପୁର, ୩୦ା୭ : ଆଇଆଇଟି-କାନପୁରର ନୂତନ ‘ବ୍ୟାଚଲର୍‌ ଅଫ୍‌ ସାଇବର ସିକ୍ୟୁରିଟି’ ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହେବା ପରେ ଆଇଆଇଟି-କାନପୁର ଏବଂ ଆଇଆଇଟି-ମାଡ୍ରାସ୍‌ର ଅଫିସିଆଲ ୱେବ୍‌ସାଇଟ୍‌ ହ୍ୟାକ୍‌ କରିଥିବା ଜଣେ ମେଧାବୀ ଛାତ୍ରଙ୍କୁ ପୁଣି ସୁଯୋଗ ଦେବାକୁ ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଉକ୍ତ ଛାତ୍ରଙ୍କ କମ୍ପ୍ୟୁଟର ଓ ସାଇବର ଦକ୍ଷତାକୁ ଆକଳନ କରିବାକୁ ଆଇଆଇଟି-କାନପୁର ନିଷ୍ପତ୍ତି ନେଇଛି।
ୱେବ୍‌ସାଇଟ୍‌କୁ ଅନଧିକୃତ ଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ଛାତ୍ରଜଣକ ଏକ ମେସେଜ ଛାଡ଼ିଥିଲେ, ‘ସାଇଟ ହ୍ୟାକ୍‌ ହୋଇସାରିଛି। ମୋତେ କେବଳ ଗୋଟିଏ ନିରପେକ୍ଷ ସୁଯୋଗ ଦରକାର ପରବର୍ତ୍ତୀ ସମୟରେ ସେ ‘X’ ଏବଂ ରେଡିଟ୍‌ରେ ଏହି ହ୍ୟାକିଂର ସ୍କ୍ରିନ୍‌ଶଟ୍‌ ଶେୟାର କରି ନିଜର ଦକ୍ଷତା ଦେଖାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, କାହାର କ୍ଷତି କରିବା ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଥିଲେ।
ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ସେ ସାଇବର ସିକ୍ୟୁରିଟି କୋର୍ସ ପାଇଁ ଆବେଦନ ଶୁଳ୍କ ଜମା କରିବା ସହ ନିଜ ସାମ୍ପଲ କାର୍ଯ୍ୟର ପ୍ରମାଣପତ୍ର ଅପ୍‌ଲୋଡ୍‌ କରିଥିଲେ। ତଥାପି ତାଙ୍କୁ ଶର୍ଟଲିଷ୍ଟ କରାଗଲାନାହିଁ କିମ୍ବା ଆଡମିଶନ ପ୍ରକ୍ରିୟାର ଅଂଶବିଶେଷ ହାକାଥନରେ ଭାଗନେବାକୁ ଦିଆଗଲାନାହିଁ। ଏହି ପ୍ରସଙ୍ଗରେ ଆଇଆଇଟି-କାନପୁରର ନିର୍ଦ୍ଦେଶକ ମଣୀନ୍ଦ୍ର ଅଗ୍ରୱାଲ କହିଛନ୍ତି, ସାଇବର ସିକ୍ୟୁରିଟି କ୍ଷେତ୍ରରେ ପୂର୍ବ ଅଭିଜ୍ଞତା ନ ଥିବାରୁ ଛାତ୍ର ଜଣକ ଶର୍ଟଲିଷ୍ଟ ହୋଇପାରି ନ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଶେଷ ହୋଇସାରିଥିବାରୁ ଏବେ ଆଡମିଶନ ସମ୍ଭବ ନୁହେଁ। ମାତ୍ର ଆମେ ଛାତ୍ରଙ୍କୁ ଆଇଆଇଟିକୁ ନିମନ୍ତ୍ରଣ କରିବୁ ଏବଂ ଏକ ନିର୍ଦ୍ଦିଷ୍ଟ ପରୀକ୍ଷା ଜରିଆରେ ତାଙ୍କ ବୈଷୟିକ ଦକ୍ଷତା ମାପିବୁ। ଯଦି ସେ ନିଜ ଯୋଗ୍ୟତାର ପ୍ରମାଣ ଦେଇପାରିବେ, ତେବେ ଆଗାମୀ ନାମଲେଖା ପର୍ଯ୍ୟାୟରେ ତାଙ୍କୁ ସୁଯୋଗ ଦିଆଯିବ। ତେବେ ଅନଧିକୃତ ଭାବେ ସିଷ୍ଟମ୍‌ରେ ପ୍ରବେଶ କରିବା ଆଇନଗତ ଅପରାଧ, ତେଣୁ ବରିଷ୍ଠ ପ୍ରଫେସର ଓ କମ୍ପ୍ୟୁଟର ଇଞ୍ଜିନିୟରମାନେ ଉକ୍ତ ଛାତ୍ରଙ୍କ କାଉନସେଲିଂ କରିବେ, ଯେପରି ସେ ଭବିଷ୍ୟତରେ ଏପରି ଭୁଲ୍‌ ନ ଦୋହରାନ୍ତି। ଆଇଆଇଟି-କାନପୁରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରଥମେ ଏଫ୍‌ଆଇଆର୍‌ ଦାୟର କରିବାକୁ ଚିନ୍ତା କରାଯାଇଥିଲା, ମାତ୍ର ଛାତ୍ରଙ୍କ ବୈଷୟିକ ଦକ୍ଷତାକୁ ଆଗାମୀ ଦିନରେ ନିଜ ପ୍ରତିଷ୍ଠାନର ଗବେଷଣାରେ ବ୍ୟବହାର କରିବା ପାଇଁ ଏହି କୋହଳ ମନୋଭାବ ଗ୍ରହଣ କରାଯାଇଛି।

Odisha’s No.1 Odia Daily