ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଣ୍ଢଳ ଗ୍ରାମର ଅକ୍ଷୟ ସାହୁଙ୍କ ପୁଅ ପ୍ରୀତମ ସାହୁ(୧୫)। ପ୍ରୀତମ ସୁନାମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ବେଳେ ଖରାଛୁଟି ହୋଇଥିବାରୁ ଗୋପପୁରଠାରେ ଥିବା ଏକ ଘରୋଇ ହଷ୍ଟେଲରେ ରହି କୋଚିଂ ନେଉଥିଲେ।
କାଳବୈଶାଖୀ ଯୋଗୁ ବୁଧବାରଠାରୁ ହଷ୍ଟେଲରେ ବିଦ୍ୟୁତ୍ ନ ଥିବାରୁ ଗୁରୁବାର ଗାଧୋଇବାରେ ସମସ୍ୟା ଦେଖାଦେଇଥିଲା। ଫଳରେ ପ୍ରୀତମ ଗାଧୋଇବା ପାଇଁ ସାଙ୍ଗମାନଙ୍କ ସହିତ ଉକ୍ତ ଗ୍ରାମରେ ଥିବା ନାଳକୁ ଯାଇଥିଲେ। ମାତ୍ର କୌଣସି କାରଣରୁ ସେ ପାଣିରେ ବୁଡି ଯାଇଥିଲେ। ହଷ୍ଟେଲ କର୍ମଚାରୀ ଏବଂ ସାଙ୍ଗମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପ୍ରୀତମଙ୍କ ମା’ ସୁମତୀ ସାହୁ ଥାନାରେ ଏତଲା ଦେବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।