ସୂଚନାଫଳକ ପଡ଼ି ଛାତ୍ର ମୃତ

ଭଦ୍ରକ(ସନାତନ ରାଉତ)/ ଧାମନଗର(ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର), ୫ା୧୦ଭଦ୍ରକ ଜିଲା ଧାମନଗର ବ୍ଲକ ଗଢ଼ିଆଳି ପଞ୍ଚାୟତ ଅଧୀନ ଉଚ୍ଚପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ କାନ୍ଥକୁ ଲାଗି ରହିଥିବା ଏକ ଫଟା ସୂଚନା ଫଳକ ଭାଙ୍ଗିପଡ଼ିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ଉଚ୍ଚପଦା ଗ୍ରାମର ସୌଭାଗ୍ୟ ନାୟକଙ୍କ ପୁଅ ଅସିତ(୬)। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିବା ସହ ଶିକ୍ଷୟିତ୍ରୀଶିକ୍ଷକଙ୍କ ଅବହେଳାକୁ ଦାୟୀ କରି ଉଚ୍ଚପଦା ଛକଠାରେ ସନ୍ଧ୍ୟାରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଥିଲେ।
ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନ ସାଢେ ୧୨ଟା ବେଳେ ଅସିତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଜାଣତରେ ବାହାରକୁ ଚାଲି ଆସିଥିଲେ। ଅସିତଙ୍କ ବୁଢୀ ମା’ ସେହି ନିକଟରେ ଥିବା ଏମ୍‌ଇ ସ୍କୁଲର ରୋଷେୟା ଭାବେ କାମ କରୁଥିବାରୁ ଅସିତ ସେଠାକୁ ଆସିଥିବା ଅନୁମାନ କରାଯାଉଛି। କାନ୍ଥକୁ ଡେରି ହୋଇ ରହିଥିବା ଫଳକ ଭାଙ୍ଗିପଡ଼ିବାରୁ ଅସିତ ତାହା ତଳେ ଚାପି ହୋଇଯାଇଥିଲେ। ନିକଟରେ ରୋଷେଇ କରୁଥିବା ଜେଜେମା ଜୟନ୍ତୀ ଆସି ନାତିକୁ ବାହାର କରିଥିଲେ। ମୁମୂର୍ଷୁ ଅବସ୍ଥାରେ ପ୍ରଥମେ ଅସୁରାଳି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଅସିତଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ପାଇଁ ଲୋକେ ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚତ୍ ପ୍ରଧାନ ଶିକ୍ଷୟିତ୍ରୀ ଊର୍ମିଳା ନାୟକ ଏବଂ ସହକାରୀ ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଉତ୍ତ୍ୟକ୍ତ ଲୋକଙ୍କଠାରୁ ଉଦ୍ଧାର କରି ଟାଉନ ଥାନାକୁ ଆଣିଥିଲେ। ଧୂଷୁରୀ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।