ଗଛରୁ ପଡ଼ି ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଦେଓଗାଁ,୨୫।୭(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଗାଇବାହାଲ ଗ୍ରାମରେ ଏକ ଅଘଟଣ ଘଟିଛି। ଗଛରୁ ପଡି ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ସ୍କୁଲ ପରିସରରେ କିଛି ପିଲା ଖେଳୁଥିବା ବେଳେ ଶ୍ରୀତମ ସେଠ(୧୪) ନାମକ ଜଣେ ଛାତ୍ର ଏକ କଦମ୍ବ ଗଛକୁ ଚଢ଼ିଥିଲେ। ସେତିକିବେଳେ ଗଛର ଏକ ଡାଳ ଭାଙ୍ଗି ଯିବାରୁ ଶ୍ରୀତମ ତଳେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହ ପରିବାର ଲୋକେ ଶ୍ରୀତମଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ ା ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ନେଇଥିଲେ। ସେଠାରେ ଡାକ୍ତର ଶ୍ରୀତମଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଛାତ୍ର ଜଣକ ଗାଇବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ। ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ଛାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।