ଛାତ୍ର ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ବାଲିଗୁଡ଼ା,୨୭ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା। ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଥିଲା। ଏଣୁ ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ଦାୟିତ୍ୱହୀନ କର୍ମଚାରୀଙ୍କୁ ନିଲମ୍ବନ ଦାବି କରି ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଅଞ୍ଚଳବାସୀ।

ସୂଚନାନୁଯାୟୀ, ଶନିବାର ଅପରାହ୍ନରେ ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ପଡ଼ି ଯାଇ ଅଚେତ ହୋଇପଡ଼ିଥିଲେ। ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସତ୍ୟାନନ୍ଦଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ। ସେପଟେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ଥାନାଧିକାରୀ ବାବାଶଙ୍କର ସରାଫ, ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭୀଷଣ ଭୋଇ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବେର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।