ଭିସୁଟ ଛାତ୍ର ନିର୍ମାଣ କଲେ ବିଶୋଧନ ଯନ୍ତ୍ର

ସମ୍ବଲପୁର,୨୮।୬(ବ୍ୟୁରୋ) ସମ୍ବଲପୁର ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭିସୁଟ ରୋବୋଟିକ୍ସ ସୋସାଇଟିର ଛାତ୍ରୀଛାତ୍ରମାନେ କଣ୍ଟାକ୍ଟଲେସ୍‌ ୟୁଭି ଡିସଇନଫେକ୍ଟାଣ୍ଟ (ୟୁଭିଆରଏଏସ୍‌)ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା ୟୁଭି ରଶ୍ମି ବିଶୋଧନ କରିବାରେ ସାହାଯ୍ୟ କରେ ଓ ମଣିଷ ଶରୀର ପାଇଁ କ୍ଷତିକାରକ ନୁହେଁ। ଏଥିରେ ଅତ୍ୟାଧୁନିକ କ୍ୟାମେରା ବ୍ୟବହାର ହୋଇଥିବାରୁ ଉକ୍ତ ସ୍ଥାନର ଭିଡିଓ ଦେଖାଯାଇ ପାରିବ। ଏହାକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରାଯାଉଛି। ପୁଲହ ଛାତ୍ରାବାସରେ ଥିବା କ୍ବାରାଣ୍ଟାଇନ ସେଣ୍ଟରରେ ଏହାକୁ ପ୍ରଥମେ ବ୍ୟବହାର କରିବା ପାଇଁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ପରୀକ୍ଷା କରି ସ୍ବୀକୃତି ଦେବା ପରେ ଅଧିକ ସଂଖ୍ୟାରେ ଏହି ଯନ୍ତ୍ର ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି ଏହିି ଛାତ୍ରୀଛାତ୍ରମାନେ। ଏହାସହ ଏକ ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର ତିଆରି କରାଯାଇଛି। ଯେଉଁଥିରେ ବ୍ୟବହୃତ ସେନସର୍‌ ଦ୍ୱାରା କିଛି ସ୍ପର୍ଶ ନ କରି ଜଣେ ସାନିଟାଇଜରକୁ ବ୍ୟବହାର କରିପାରିବ। ଏଥିରେ ଉପଯୋଗ ହେଉଥିବା ସାନିଟାଇଜର ଭିସୁଟର ରସାୟନ (କେମେଷ୍ଟ୍ରି) ବିଭାଗରେ ପ୍ରସ୍ତୁତ କରାଯାଇଛି। ଏହି ଡିସ୍ପେନସର୍‌ର ମୂଲ୍ୟ ୨୫୦୦ ଟଙ୍କା ରହିଛି। ରୋବୋଟିକ୍ସ ସୋସାଇଟିର ସେକ୍ରେଟାରୀ ଅଭିଷେକ ଅଗ୍ରୱାଲଙ୍କ ନେତୃତ୍ୱରେ ପ୍ରଥମ ବର୍ଷ ଛାତ୍ର ଅଭ୍ୟୁଦୟ ଦାଶ, ଆୟୁଷ ସିଂ, ତ୍ରିଲୋଚନ ବସନ୍ତିଆ ଓ ଅଭିପ୍ସ ରାଜଙ୍କୁ ଏହାକୁ ନିର୍ମାଣ କରିଛନ୍ତି।