ଜିଦ୍‌ ଛାଡ଼

ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ପେଟ୍ରୋଲଠାରୁ ଅଧିକ ହୋଇଛି। ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା- ଏହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଗତ କିଛି ଦିନ ଭିତରେ ପେଟ୍ରୋଲ ମୂଲ୍ୟ ଊଣାଅଧିକେ ସ୍ଥିର ରହିଥିଲେ ମଧ୍ୟ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଡିଜେଲ ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି। ଡିଜେଲ ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଏହାର ଚାହିଦାକୁ ଚାପି ଦେଇଛି। ଦେଶର ୯୦ ପ୍ରତିଶତ ପେଟ୍ରୋଲ ପମ୍ପର ମାଲିକ ଥିବା ରାଷ୍ଟ୍ରାୟତ୍ତ ରିଫାଇନରମାନେ ଜୁଲାଇ ପ୍ରଥମାର୍ଦ୍ଧରେ ଗତମାସର ସମାନ ଅବଧି ଅପେକ୍ଷା ବିକ୍ରିରେ ହ୍ରାସ ଘଟିଥିବାର ସୂଚନା ଦେଇଛନ୍ତି। ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ମାନ୍ଦା ହେଉଥିବା ବେଳେ ଦେଶର କିଛି ଅଂଶରେ ଲକ୍‌ଡାଉନ ପୁଣି ଲାଗୁ କରାଯାଇଥିବାରୁ ପରିବହନ ଲାଗି ବ୍ୟବହାର କରାଯାଉଥିବା ପ୍ରମୁଖ ତୈଳ ଡିଜେଲର ଚାହିଦା ପ୍ରଭାବିତ ହୋଇଛି। ଭାରତରେ ବିକ୍ରି ହେଉଥିବା ମୋଟ ବିଶୋଧିତ ଇନ୍ଧନର ଦୁଇ-ପଞ୍ଚମାଂଶ ହେଉଛି ଡିଜେଲ, ଯାହାର ବିକ୍ରି ଚଳିତ ଜୁଲାଇ ମାସର ପ୍ରଥମ ଭାଗରେ ଗତମାସର ସମାନ ଅବଧି ତୁଳନାରେ ୧୮ ପ୍ରତିଶତ ହ୍ରାସ ପାଇ ୨.୨ ନିୟୁତ ଟନ୍‌ରେ ପହଞ୍ଚତ୍ଛି। ଏହା ଗତବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୨୧ ପ୍ରତିଶତ ହ୍ରାସ ପାଇଛି। ଗ୍ରାହକମାନଙ୍କ ଭାବନାକୁ ଏହା ପ୍ରଭାବିତ କରୁଛି। ମହାମାରୀ ସହ ବ୍ୟାପକ ଚାକିରି ହ୍ରାସ ଏବଂ ବେତନ ହ୍ରାସ ହେତୁ ଅନିଶ୍ଚିତତାର ବାତାବରଣରେ ଲୋକମାନେ ଚାରିଚକିଆ ଯାନ ବାହାରକୁ କାଢ଼ିବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି। ଗତ ଏକମାସ ମଧ୍ୟରେ ତୈଳ ଦର ବୃଦ୍ଧି ଜନସାଧାରଣଙ୍କ ଭାବନାକୁ ଆହୁରି ଦୁର୍ବଳ କରିଦେଇଛି। ତୈଳ ଦରବୃଦ୍ଧି ଯୋଗୁ ଲୋକମାନେ ନୂଆ କାର୍‌ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏହାର ପ୍ରଭାବ ଦୁଇଚକିଆ ଗାଡ଼ି ଚାଳକଙ୍କ ଉପରେ ଅଧିକ ପଡ଼ୁଛି, ଯେଉଁମାନେ ତୈଳ ମୂଲ୍ୟ ଅଧିକ ହେଲେ ପେଟ୍ରୋଲ ପମ୍ପକୁ ଯିବା କମେଇ ଦିଅନ୍ତି। ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡ଼ିକ ମାତ୍ରାଧିକ ତୈଳ ମୂଲ୍ୟ ବୃଦ୍ଧି କରିବା ଯୋଗୁ ଦେଶରେ ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଗାଡ଼ି ବଜାର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ୨୦୨୦ ଆର୍ଥିକ ବର୍ଷରେ ପେଟ୍ରୋଲର ବ୍ୟବହାର ଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିରୁ ୬ ପ୍ରତିଶତକୁ ଖସି ଆସିଛି। ସେହିପରି ଡିଜେଲ ବ୍ୟବହାର ଗତବର୍ଷ ତିନି ପ୍ରତିଶତ ଥିବାବେଳେ ୨୦୨୦ ଆର୍ଥିକ ବର୍ଷରେ ତାହା ଏକ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। କୋଭିଡ୍‌-୧୯ ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ ସରକାର ଲକ୍‌ଡାଉନକୁ ଆହୁରି ବଢ଼ାଇବାକୁ ପ୍ରସ୍ତୁତ ଥିବା ପରି ମନେହେଉଛି। ବର୍ତ୍ତମାନ ଯାହା ଜଣାପଡ଼ୁଛି କରୋନା ମହାମାରୀ ପାଇଁ କୌଣସି ଟିକା ନ ବାହାରିବା ପର୍ଯ୍ୟନ୍ତ ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ଅନିଶ୍ଚିତ ରହିଥିବ।
ତୈଳ ଚାହିଦା ହ୍ରାସ ପାଇବା କେବଳ ଅଟୋମୋବାଇଲ୍‌ କ୍ଷେତ୍ର ପାଇଁ ନୁହେଁ, ବରଂ ଦେଶର ସମଗ୍ର ଅର୍ଥନୀତି ପାଇଁ କ୍ଷତିକାରକ। ଅର୍ଥନୀତିକୁ ପୁଣି ଚଳଚଞ୍ଚଳ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ସରକାର ଦାବି କରୁଛନ୍ତି। ଏଥିପାଇଁ ସରକାର କେତେକ ଅର୍ଥନୈତିକ ପଦକ୍ଷେପ ବି ନେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କେନ୍ଦ୍ର ସହିତ ଏହି ଖେଳରେ ନିଜର ଭୂମିକା ନିର୍ବାହ କରିଛି। ଗ୍ରାହକଙ୍କ ଆର୍ଥିକ ଅସୁବିଧା ଦୂର କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଅନେକ ପଦକ୍ଷେପ ନେଇଛି। କିନ୍ତୁ ତୈଳ ମୂଲ୍ୟକୁ ନେଇ ସରକାରଙ୍କ ଜିଦ୍‌ଖୋର ମନୋବୃତ୍ତି ସବୁ ପଦକ୍ଷେପକୁ ବେକାର କରିଦେଇଛି। ସରକାରଙ୍କ ଗୋଟିଏ ହାତ ସେହିସବୁ ସମ୍ଭାବ୍ୟ ଲାଭକୁ ନଷ୍ଟ କରିଦେଉଛି, ଯାହା ଅନ୍ୟ ହାତଟି ଅର୍ଜନ କରିପାରିଥାନ୍ତା। ତୈଳର ପମ୍ପ ମୂଲ୍ୟର ଏକ ବଡ଼ ଅଂଶ ହେଉଛି ସରକାରଙ୍କ ଟିକସ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ହେଉଛି ତୈଳ ମୂଲ୍ୟର ୬୬ ପ୍ରତିଶତ। ବାକି ୩୪ ପ୍ରତିଶତରେ ଅଶୋଧିତ ତୈଳର ମୂଲ୍ୟ, ତାହାର ରିଫାଇନିଂ ଖର୍ଚ୍ଚ ଏବଂ ଡିଲରଙ୍କ ଲାଭ ସହିତ ଏହାର ପରିବହନ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ। ଏଥିରୁ ସ୍ପଷ୍ଟ ଯେ, ତୈଳ ମୂଲ୍ୟର ଦୁଇ ତୃତୀୟାଂଶ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଉଛି, ଯାହା ଭାରତରେ ତୈଳର ଖୁଚୁରା ମୂଲ୍ୟକୁ ସାରା ଏସିଆ ମହାଦେଶରେ ସବୁଠାରୁ ଅଧିକ ଏବଂ ପାକିସ୍ତାନର ମୂଲ୍ୟ ତୁଳନାରେ ପ୍ରାୟ ଦୁଇଗୁଣ କରିତୋଳିଛି। ତେଣୁ ତୈଳ ମୂଲ୍ୟ ହ୍ରାସ କରିବା ପାଇଁ କୌଣସି ବାଟ ଅଛି କି ନାହିଁ ତାହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତା କରିବା ଉଚିତ। କିନ୍ତୁ ସରକାର ସମାଧାନ ବିଷୟରେ କ’ଣ ଚିନ୍ତା କରିବେ, ତୈଳ କମ୍ପାନୀଗୁଡିକୁ ମୂଲ୍ୟ ବୃଦ୍ଧି କରିଚାଲିବାକୁ ଅନୁମତି ଦେଉଛନ୍ତି। ୨୦୧୪ ମସିହାରୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଟିକସରେ ପାଞ୍ଚ ଗୁଣ ବୃଦ୍ଧି ଘଟିଛି। ତୈଳ ମୂଲ୍ୟ କମ୍‌ କରାଗଲେ ତାହା ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ। ଏଣୁ ସରକାର ଜିଦ୍‌ ଛାଡ଼ିଦେବା ଉଚିତ। ବର୍ତ୍ତମାନ ପରି ଦୁର୍ଦ୍ଦିନରେ, ଯେତେବେଳେ ଭାରତର ଅର୍ଥନୀତି ଚାରି ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି, ସେତେବେଳେ ସରକାରଙ୍କଠାରୁ ଅତି କମ୍‌ରେ ଏତିକି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri