ଟ୍ରକ୍‌ ଟର୍ମିନାଲକୁ ଜୋର୍‌ଦାର ବିରୋଧ

ଅନୁଗୋଳ ଅଫିସ,୩।୮: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗାରେ ହେବ ଟ୍ରକ୍‌ ଟର୍ମିନାଲ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାକୁ ଶାବଳଭଙ୍ଗା ଗ୍ରାମର ମହିଳା ଓ ପୁରୁଷମାନେ ଜୋର୍‌ଦାର ବିରୋଧ କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଅନୁଗୋଳ ଜିଲାରେ ଟ୍ରକ୍‌ ପାର୍କିଂ ପାଇଁ ପରିବହନ ବିଭାଗ ପକ୍ଷରୁ ଶାବଳଭଙ୍ଗାରେ ପ୍ରଥମେ ଜାଗା ଚିହ୍ନଟ କରାଯାଇଥିଲା। ଏହାପରେ ସେଠାରେ ଥିବା ସରକାରୀ ଜାଗା ଖାତା ନଂ. ୯୧/୪୧୦ ଓ ପ୍ଲଟ ନଂ. ୫/୮୨୭, ୪ ଏକର ୯୮ ଡିସିମିଲରେ ଏହି ଟର୍ମିନାଲ କରିବାକୁ ଜିଲା ପ୍ରଶାସନ ଅନୁମତି ପ୍ରଦାନ କରିଥିଲା। ହେଲେ ଉକ୍ତ ଗୋଚର ଜମିରେ ଗାଈ ଚରାଇ ଗ୍ରାମବାସୀ ଜୀବନ ଜୀବିକା କରୁଥିବାରୁ ଟର୍ମିନାଲକୁ ସେମାନେ ବିରୋଧ କରୁଛନ୍ତି। ଏ ନେଇ ଗ୍ରାମରେ ଏକ ବୈଠକ କରାଯାଇ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ ପାଇଁ ସ୍ଥିର କରାଯାଇଛି। ଏ ସମ୍ପର୍କରେ ଅନୁଗୋଳ ତହସିଲଦାର ଓ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗ୍ରାମରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଉକ୍ତ ସ୍ଥାନରେ ୫ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ଚାରା ରୋପଣ କରାଯାଇଛି। ତେଣୁ ଉକ୍ତ ଜାଗାରେ ପ୍ରଶାସନ ପକ୍ଷରୁ କୌଣସି ନିର୍ମାଣ କାର୍ଯ୍ୟ ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମ ସଭାପତି ଭାଗୀରଥି ସାହୁଙ୍କ ନେତୃତ୍ୱରେ ଆସିଥିବା ମହିଳା ଓ ପୁରୁଷମାନେ ଚେତାବନୀ ଦେଇଛନ୍ତି।