ବିଜେଡି ମୋତେ ମାନସିକ ନିର୍ଯାତନା କହି ଦଳ ଛାଡିଲେ ଟାଣୁଆ ନେତା

ଭଦ୍ରକ,୮।୪ (ସନାତନ ରାଉତ):ଭଦ୍ରକର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ରବିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ନିକଟକୁ ପଠାଇଦେଇଛନ୍ତି। ଭଦ୍ରକ ବ୍ଲକ କୋରକୋରା ପଞ୍ଚାୟତର ରାଜେନ୍ଦ୍ର ବିଜେଡିରେ ଜଣେ ଆଗଧାଡ଼ିର ସଦସ୍ୟ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଜିଲାସ୍ତରୀୟ ନେତାମାନେ ମାନସିକ ନିର୍ଯାତନା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା ସହ ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ କମିଟି ଗଠନରେ ତାଙ୍କୁ ସ୍ଥାନ ଦିଆଯାଇ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ୨୦୧୯ ନିର୍ବାଚନରେ ଭଦ୍ରକ ଲୋକ ସଭା ଆସନ ପ୍ରାର୍ଥୀ ହେବା ପାଇଁ ସେ ଆବେଦନ କରିବା ସହ ଆଶାୟୀ ଥିଲେ। ଧାମନଗର ଉପନିର୍ବାଚନରେ ମଧ୍ୟ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ଆସନ୍ତା ନିର୍ବାଚନରେ ଦଳ ତାଙ୍କୁ ଭଦ୍ରକ ଲୋକ ସଭା ଆସନ ଲାଗି ଟିକେଟ ଦେବ ବୋଲି ଆଶାବାଦୀ ଥିଲେ। କିନ୍ତୁ ଦଳୀୟ ଅଣଦେଖା ପାଇଁ ସେ ଇସ୍ତଫା ଦେଇଥିବା ବେଳେ ଆସନ୍ତା ୧୦ଦିନ ଭିତରେ କେଉଁ ଦଳରେ ଯୋଗଦେବେ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି।