ତୁର୍କୀ, ସିରିଆରେ ସବୁଠାରୁ ବଡ଼ ଭୂକମ୍ପ

ଇସ୍ତାନବୁଲ,୬।୨: ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୨ଟି ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକା ଭୁଶୁଡି ମାଟିରେ ମିଶିଯାଇଛି। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୨୦୦ରେ ପହଞ୍ଚିଛି। ତୁର୍କୀରେ ୯୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିରିଆରେ ୩୨୬ଜଣ ପ୍ରାଣହରାଇଥିବା ଜଣାପଡ଼ିଛି। ବର୍ତ୍ତମାନ ମଧ୍ୟ ଶତାଧିକ ଲୋକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସିରିଆର ଜାତୀୟ ଭୂକମ୍ପ କେନ୍ଦ୍ର ମୁଖ୍ୟ ରାଏଡ୍‌ ଅହମ୍ମଦ ଏହା ଦେଶର ସବୁଠାରୁ ବଡ଼ ଭୂକମ୍ପ ବୋଲି ସରକାରୀ ରେଡିଓକୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ସାଙ୍ଗକୁ ପ୍ରମୁଖ ରାସ୍ତାଗୁଡିକରେ ବରଫ ଆଚ୍ଛାଦିତ ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସରକାରଙ୍କ ପକ୍ଷରୁ ଏହାକୁ ବଡ଼ ଧରଣର ବିପର୍ଯ୍ୟୟ ଘୋଷଣା କରାଯାଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡଗାନ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Share