ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍ପି ପ୍ରଦ୍ୟୁତ୍ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଆସାମ ଭାଜପା ସଭାପତି ଦିଲୀପ ସାଇକିଆଙ୍କ ଉପସ୍ଥିତିରେ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି।
ମଙ୍ଗଳବାର ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଥିଲେ। ସନ୍ଧ୍ୟାରେ ଆସାମ କଂଗ୍ରେସ ମୁଖିଆ ଗୌରବ ଗୋଗଇ ଏବଂ ଆସାମ ଦାୟିତ୍ୱରେ ରହିଥିବା ସାଧାରଣ ସମ୍ପାଦକ ସିଂ ପ୍ରଦ୍ୟୁତ୍ଙ୍କ ବାସଭବନକୁ ଯାଇଥିଲାବେଳେ ଏହା ପରେ ତାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, ଦଳୀୟ ବ୍ୟାପାରକୁ ନେଇ ଗତ କିଛି ଦିନ ହେଲା କେନ୍ଦ୍ରୀୟ ନେତାଙ୍କ ସହ ପ୍ରଦ୍ୟୁତ୍ଙ୍କ ମତଭେଦ ଘଟିଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ରହିଥିଲାବେଳେ ଦଳରୁ ଇସ୍ତଫା ଦେବାକୁ ପ୍ରଦ୍ୟୁତ୍ ସୋମବାର ଇଙ୍ଗିତ କରିଥିଲେ। ଏହାପରେ ସେ ଏହି ନିଷ୍ପତ୍ତି ନେଇଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଦ୍ୟୁତ୍ଙ୍କ ଭାଜପାରେ ଯୋଗଦାନ ଦଳ ପାଇଁ ଭାରି ପଡ଼ିବ ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily

