ନୂଆଦିଲ୍ଲୀ / ବେଜିଂ,୨୨।୧୦: ତିବ୍ବତ ଏବଂ ଚାଇନାର ବିଭିନ୍ନ ଅଞ୍ଚଳରେ ମାତ୍ର ୪୫ ମିନିଟ୍ ମଧ୍ୟରେ ତାବଡ଼ାଡ଼ ତିନୋଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ‘ନ୍ୟାସନାଲ ସେଣ୍ଟର ଫୋର ସିସ୍ମୋଲୋଜି’ (NCS) ର ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮:୦୩ ମିନିଟ୍ରେ ତିବ୍ବତରେ ପ୍ରଥମେ ୭.୦ ତୀବ୍ରତାର ଏକ ବିରାଟ ଭୂକମ୍ପ ଆସିଥିଲା, ଯାହାର କେନ୍ଦ୍ରବିନ୍ଦୁ ଭୂପୃଷ୍ଠରୁ ପ୍ରାୟ ୧୭୩ କିଲୋମିଟର ଗଭୀରତାରେ ରହିଥିଲା।
ଏହାର କିଛି ସମୟ ପରେ, ଅର୍ଥାତ୍ ରାତି ପ୍ରାୟ ୮:୩୦ ମିନିଟ୍ରେ ଚାଇନାରେ ୫.୨ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ଠିକ୍ ପରେ, ରାତି ୮:୪୨ ମିନିଟ୍ରେ ପୁଣି ଥରେ ତିବ୍ବତରେ ୫.୦ ତୀବ୍ରତାର ଅନ୍ୟ ଏକ ଭୂକମ୍ପ ଝଟକା ଲାଗିଥିଲା। ଏହି କ୍ରମାଗତ ଭୂକମ୍ପ ଯୋଗୁ ତିବ୍ବତ ଏବଂ ଚାଇନାର ବଡ଼ ବଡ଼ ଅଞ୍ଚଳରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା, ଯାହାକି ବହୁ ଦୂର ପର୍ଯ୍ୟନ୍ତ ମଧ୍ୟ ଅନୁଭୂତ ହୋଇଥିଲା।
ବାରମ୍ବାର ଭୂକମ୍ପର ଝଟକା ଲାଗିଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଧନଜୀବନ ନଷ୍ଟ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।
ଏହି ଅଞ୍ଚଳଟି ପୂର୍ବରୁ ଏକ ଗ୍ଲେସିଅର (ବରଫ) ଫାଟିଯିବା କାରଣରୁ ଘଟିଥିବା ଭୟଙ୍କର ବନ୍ୟା ବିପର୍ଯ୍ୟୟକୁ ସାମ୍ନା କରିସାରିଛି। ବିଶେଷଜ୍ଞମାନଙ୍କ ମତରେ, ବିଶ୍ୱ ତାପମାତ୍ରା ବୃଦ୍ଧି (Global Warming) ହେତୁ ସିଂହାଇ-ତିବ୍ବତ ମାଳଭୂମିରେ ବରଫ ଦ୍ରୁତ ଗତିରେ ପିଘଳୁଥିବାରୁ ଏହି ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ଭୂକମ୍ପ ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଆହୁରି ବଢ଼ିଯାଇଛି। ଏହା ବ୍ରହ୍ମପୁତ୍ର ସମେତ ଅନେକ ପ୍ରମୁଖ ନଦୀର ଉତ୍ପତ୍ତି ସ୍ଥଳ ହୋଇଥିବାରୁ, ଏଠାକାର ପରିବେଶଗତ ପରିବର୍ତ୍ତନ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।