Categories: ଜାତୀୟ

କରୋନାର କୋରଡ଼ା ମାଡ଼: ବିଦେଶ ପାଠପଢ଼ା ପ୍ରତି କମୁଛି ଆଗ୍ରହ

ନୂଆଦିଲ୍ଲୀ, ୨୨।୮: ବିଦେଶରେ ପାଠପଢ଼ା ପ୍ରତି ପୂର୍ବରୁ ଭାରତୀୟ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଥିବାବେଳେ ଏବେ ଏହା କମିବାରେ ଲାଗିଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ ରହିବା ଏବଂ ଖାଇବା ପିଇବା ସମ୍ପର୍କରେ ଭାରତୀୟ ଯୁବବର୍ଗ ନିଶ୍ଚିତ ହୋଇପାରୁ ନାହାଁନ୍ତି। ତେଣୁ ବିଦେଶରେ ପାଠପଢ଼ା ନ କରି ବିକଳ୍ପ ଯୋଜନା ଉପରେ ସେମାନେ ଅଧିକ ଗୁରୁତ୍ୱ ଦେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। କରୋନାର କୋରଡ଼ା ମାଡ଼ ଯୋଗୁ ୬୧ ପ୍ରତିଶତରୁ ଅଧିକ ଭାରତୀୟ ଯୁବବର୍ଗ ବିଦେଶ ପାଠପଢ଼ାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କ୍ୱେକରେଲି ସାଇମଣ୍ଡସ୍‌ ନାମକ ସର୍ଭେ ଏଜେନ୍ସି ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଅଗଷ୍ଟ ୧୧ ପର୍ଯ୍ୟନ୍ତ ହୋଇଥିବା ଅନ୍‌ଲାଇନ୍‌ ସର୍ଭେରେ ୬୬ ହଜାର ୯୫୯ ଯୁବବର୍ଗ ନିଜର ପ୍ରତିକ୍ରିୟା ଦେଇଥିଲେ। ସେମାନଙ୍କ ମଧ୍ୟରେ ୧୧ ହଜାର ୩୧୦ ଭାରତୀୟ ଯୁବବର୍ଗ ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ରିପୋର୍ଟ ଅନୁସାରେ ୭ ଲକ୍ଷ ୫୦ ହଜାରରୁ ଅଧିକ ଭାରତୀୟ ଯୁବବର୍ଗ ୯୦ରୁ ଅଧିକ ଦେଶରେ ପାଠପଢୁଛନ୍ତି। ତେବେ କରୋନା ସଂକ୍ରମଣ ଯୋଗୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଯୁବବର୍ଗ ଅମଙ୍ଗ ହେଉଛନ୍ତି।

Share