ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କୋକସରା,୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡୋଙ୍ଗରି ଗାଁର ଦ୍ୱାରିକା ଦାସ(୨୨)ଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଆତ୍ମହତ୍ୟା ରୁପ ଦେବାକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରର ଅଭିଯୋଗ ପରେ ୪ଜଣିଆ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି। ଆମପାଣି ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ କରିବା ପରେ ଘଟଣାର ଏକ ସପ୍ତାହ ପରେ ୩ଜଣ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ହେଲେ ପୋଲିସ ହତ୍ୟା ଘଟଣାରେ ସମ୍ପୃକ୍ତ ନ ଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିବା ପ୍ରତିବାଦରେ ବୁଧବାର ଥାନା ସମ୍ମୁଖରେ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା। ଏହି ଘଟଣା ସମ୍ପର୍କରେ ଆମପାଣି ଥାନାଧିକାରୀ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅବଗତ କରାଇବା ପରେ ସେ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରିବାର ହତ୍ୟା ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ମୃତକଙ୍କ କକାଙ୍କ ସହ ଫୋନରେ କଥା ହୋଇଥିଲେ। ଗୁରୁବାର ସକାଳେ ପୁଣି ପରିବାରବର୍ଗ ଓ ମହିଳାମାନେ ଥାନାରେ ପହଞ୍ଚି ଧାରଣା ଦେଇଥିଲେ। ମଧ୍ୟାହ୍ନରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର ଓ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ଧାରଣାସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ। ପୋଲିସ ତଦନ୍ତ ସରିନାହିଁ, ଯଦି ଆପଣଙ୍କ ଅଭିଯୋଗ ଅନୁସାରେ ଅନ୍ୟ କୌଣସି ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଛନ୍ତି ତେବେ ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।