୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜ୍ୟ ସରକାର ଯଥାଶୀଘ୍ର ଦାବି ପୂରଣ ନ କଲେ ଫେବୃୟାରୀ ୧ରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ (ଓମ୍‌ସା) ଚେତାବନୀ ଦେଇଛି। ବୁଧବାର ଓମ୍‌ସା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତି ନାରାୟଣ ରାଉତ କହିଛନ୍ତି, ଓଡ଼ିଶାରେ ଡାକ୍ତରଙ୍କୁ କେନ୍ଦ୍ରୀୟ ହାରରେ (ଡିଏସିପି) ଦରମା ପ୍ରଦାନ କରାଯାଉ ନାହିଁ। ୨୦୧୯ରେ ଆମ ରାଜ୍ୟ ସରକାର ଡିଏସିପି ନାମରେ ୭, ୧୪ ଓ ୨୧
ବର୍ଷରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଛନ୍ତି। ସେଥିରେ ଯୁବବର୍ଗ ଓ ଅଭିଜ୍ଞ ଡାକ୍ତରମାନେ ଆଦୌ ଆର୍ଥିକ ଲାଭବାନ ହୋଇପାରୁ ନ ଥିବାରୁ ସରକାରୀ ଚାକିରି କରିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। ତେଣୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଓଏମ୍‌ଏଚଏସ୍‌ କ୍ୟାଡର ଡାକ୍ତରଙ୍କ ପୁନର୍ବିନ୍ୟାସ, ଆଡ୍‌ହକ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟ କରିବା ନିୟମାବଳୀକୁ ଉଚ୍ଛେଦ, ଡାକ୍ତରଙ୍କ ଅବସର ବୟସ ବୃଦ୍ଧି କରା ନ ଯିବା ଭଳି ବିଭିନ୍ନ ଦାବି ନେଇ ଓମ୍‌ସା ରାଜ୍ୟ ସରକାରଙ୍କ ସହ ବହୁବାର ଆଲୋଚନା କରିଛି। କିନ୍ତୁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଗତ ଡିସେମ୍ବର ୧୦ରେ ଓମ୍‌ସାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏ ସମସ୍ତ ଦାବି ନେଇ ଜାନୁୟାରୀ ୧୬ରୁ ଓମ୍‌ସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯେହେତୁ ୧୩ ତାରିଖରୁ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି, ଏହା ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖାଯାଇଛି। ଫେବୃୟାରୀ ୧ରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସଭାପତି ରାଉତ କହିଛନ୍ତି।