ତହସିଲଦାରଙ୍କ ଅବିଚାର ବିରୋଧରେ ଧାରଣା

ଭଦ୍ରକ ଅଫିସ,୫ା୬: ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାରଙ୍କ ଅବିଚାର ବିରୋଧରେ ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଣ୍ଡିଆପାଟ ଗ୍ରାମର ଏକ ପରିବାର ଜିଲାପାଳଙ୍କ ଅଫିସ ଆଗରେ ସୋମବାର ଧାରଣାରେ ବସିଛନ୍ତି। ବର୍ଷେ ଧରି ସେମାନଙ୍କ ପରିବାର ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ପ୍ରଶାସନିକ ଅବିଚାର କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଚାନ୍ଦବାଲି ତହସିଲ ଏନକ୍ରୋଚ୍‌ମେଣ୍ଟ ମାମଲା ନଂ (୧୬୨/୨୦୨୦) ଅନୁସାରେ ତାଙ୍କ ଘର ନିକଟସ୍ଥ ସରକାରୀ ଦାଣ୍ଡରୁ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଜବରଦଖଲ ହଟାଇବା ପରିବର୍ତ୍ତେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ସରକାରୀ ଅମିନ ଦ୍ୱାରା ମାପ କରି ଚିହ୍ନଟ କରିବାକୁ ନୋଟିସ୍‌ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର ବିଶ୍ୱାଳ। ସେ ତାଙ୍କ ପରିବାର ସଦସ୍ୟ ନାରାୟଣ ବିଶ୍ୱାଳ, ଅଖୁଜି ବିଶ୍ୱାଳ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ପ୍ରହ୍ଲାଦ ବିଶ୍ୱାଳ, ମମତା ବିଶ୍ୱାଳଙ୍କ ସହ ଧାରଣାରେ ବସିଛନ୍ତି।