ପୌରପାଳିକା କାର୍ଯ୍ୟାଳୟ ଘେରାଉ

ବାସୁଦେବପୁର, ୬।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ ଉନ୍ନତୀକରଣ ପାଇଁ ମିଳୁଥିବା କାର୍ଯ୍ୟାଦେଶ ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି କଂଗ୍ରେସ କାଉନସିଲର ଓ ଶତାଧିକ ମହିଳା ସୋମବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଏପରିକି ମୁକ୍ତା ଯୋଜନା ରୁମ୍‌ ଆଗରେ ହୋହଲ୍ଲା କରିବା ସହ କାର୍ଯ୍ୟାଦେଶ ପ୍ରଦାନରେ ସ୍ବଚ୍ଛତା ପାଇଁ ସେମାନେ ଦାବି କରିଥିଲେ। ପରେ କଂଗ୍ରେସ କାଉନସିଲର ଓ ଗୋଷ୍ଠୀର ମହିଳାମାନେ ପୌର ନିର୍ବାହୀ ଅଧିକାରୀ ମାନସ ଦଣ୍ଡପାଟଙ୍କୁ ଏ ବାବଦରେ ଜଣାଇଥିଲେ। ପୌର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ କଂଗ୍ରେସ କାଉନସିଲର, ଗୋଷ୍ଠୀ ମହିଳା, ବାସୁଦେବପୁର ଥାନା ଆଇଆଇସି ସାବିତ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏନେଇ ଆଲୋଚନା କରିଥିଲେ। ଏ ଦିଗରେ ପଦକ୍ଷେପ ନିଆଯାଇ ସମାଧାନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଦଣ୍ଡପାଟ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।