ଜିଲାପାଳଙ୍କ ଅଫିସ ଘେରିଲେ କଂଗ୍ରେସ କର୍ମୀ

ଖୋର୍ଦ୍ଧା ଅଫିସ, ୨୪।୧୨(ବ୍ୟୁରୋ): ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃୃତ୍ୱରେ ଜିଲାର ସମସ୍ତ ବ୍ଲକରୁ ଶତାଧିକ କଂଗ୍ରେସ ମହିଳା,ପୁରୁଷ କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିପର୍ଯ୍ୟୟ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ବ୍ଲକ, ତହସିଲ ଓ ପୌର ପରିଷଦ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି, ନିଯୁକ୍ତି କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ଉପେକ୍ଷା, ଧାନକିଣାରେ ଚାଷୀଙ୍କୁ ଅଣଦେଖା, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଜମି ପଟ୍ଟା ପ୍ରଦାନ ଅବହେଳା, ଜଟଣୀ ଶ୍ରୀଜଗନ୍ନାଥ ଜମି କିସମ ପରିବର୍ତ୍ତନ ପ୍ରତିବାଦରେ ଏହି ଘେରାଉ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ, ପିସିସି ସଭ୍ୟ ଶିଶିର ପରିଡ଼ା, ଜିଲା ମୁଖପାତ୍ର ଅମିତ ମହାନ୍ତି, ଜିଲା ସମ୍ପାଦକ ପ୍ଲାବନ ପଟ୍ଟନାୟକ, ଖୋର୍ଦ୍ଧା ବ୍ଲକ ସଭାପତି ବିଶ୍ବଭୂଷଣ ଛୋଟରାୟ ପ୍ରମୁଖ ଶାସକ ଦଳ ଉପରେ ବର୍ଷିଥିଲେ।