ସିସିଟିଭି ନଜରରେ ରାଜଧାନୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ରାଉରକେଲା ଓ ଭୁବନେଶ୍ୱରରେ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ବୁଧବାର କଟକରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନ ଉତ୍ସବ ଆୟୋଜିତ ହେବାକୁ ଥିବାବେଳେ ଏଥିପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବହୁ ସୂଚନା ଦେଇଛନ୍ତି। ଡିସିପି ସିଂ କହିଛନ୍ତି, ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏୟାରପୋର୍ଟଠାରୁ କଟକ ପର୍ଯ୍ୟନ୍ତ ଭିଡ଼ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ୧୬ ପ୍ଲାଟୁନ୍‌ ଫୋର୍ସ ରାଜଧାନୀରେ ନିୟୋଜିତ ହୋଇଛନ୍ତି। ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜଧାନୀକୁ ସିସିଟିଭି ସ୍କାନରରେ ରଖାଯାଇଛି। ସହରର ୧୪୭ ସ୍ଥାନରେ ୫୨୮ଟି ସିସିଟିଭି ଲଗାଯାଇଛି। ସମସ୍ତଙ୍କ ସହଭାଗିତାରେ ହେବ ରାଜଧାନୀର ଟ୍ରାଫିକ୍‌ ନିୟନ୍ତ୍ରଣ ହେବ। ପୋଲିସ ମିତ୍ର ଏବଂ ଏନ୍‌ଜିଓ କର୍ମୀଙ୍କୁ ଟ୍ରାଫିକ୍‌ ପରିଚାଳନାରେ ନିୟୋଜିତ କରାଯିବ। ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ୧ ମାସ ହେବ ନୋ ପାର୍କିଂ ଡ୍ରାଇଭରେ ୪ଟି ଟିମ୍‌ ବୁଲୁଛି। ଏହାରି ଭିତରେ ୪୯୮ ଗାଡ଼ି ଉଠାଯାଇଛି। ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଛି। ହକି ଷ୍ଟାଡିୟମ ପାଖରେ ପାର୍କିଂ ପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରାଯାଇଛି। ରିଜର୍ଭ ପଡିଆ, ବେହେରା ସାହି, ନ୍ୟୁ ଏଜି ପଡ଼ିଆ ଏବଂ ନିକୋ ପାର୍କ ରୋଡ୍‌ ନିକଟରେ ୨ଚକିଆ ଏବଂ ୪ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ଏକ ଆନିମେଶନ୍‌ ଭିଡିଓ ମଧ୍ୟ ତିଆରି କରାଯାଇଛି। ଯାହା ଆଗକୁ ଗଣମାଧ୍ୟମରେ ପ୍ରସାରଣ କରାଯିବ। ସେ ଆହୁରି କହିଛନ୍ତି, ୯ଟି ସ୍ଥାନରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ କରାଯାଇଛି। ଏଥିସହ ୧୦ଟି ନୂଆ ପୋଲିସ ଏଡ୍‌ ପୋଷ୍ଟ କରାଯାଇଛି। ୧୬ଟି ସ୍ଥାନରେ ‘ମେ ଆଇ ହେଲ୍ପ ୟୁ’ କିଓକ୍ସ ବ୍ୟବସ୍ଥା କରାଯାଇଛି। ଏହି କିଓସ୍କ ଜରିଆରେ ଲୋକଙ୍କୁ ପରାମର୍ଶ ଦିଆଯିବ। ସୋସିଆଲ୍‌ ମିଡିଆ ଓ ଏଫ୍‌ଏମ୍‌ ଜରିଆରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସେହିପରି ସନ୍ଧ୍ୟା ସମୟରେ ଭାରିଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଯାଇଛି ବୋଲି ଡିସିପି କହିଛନ୍ତି।