Categories: ଜାତୀୟ

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡ଼ା ପଦକ୍ଷେପ, ୬୦ଟି ସ୍ଥାନରେ ଏନ୍‌ଆଇଏ ଚଢ଼ାଉ…

ଲକ୍ଷ୍ନୌ, ୧୨।୯ : ସଂଗଠିତ ଆତଙ୍କବାଦୀ ଗୋଷ୍ଠୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ କାର୍ଯ୍ୟ କଳାପ ଉପରେ ରୋକ ପାଇଁ ଏନଆଇଏ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଏହି ମର୍ମରେ ଉତ୍ତର ଭାରତର ପ୍ରାୟ ୬୦ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ନାର୍କୋ ଆତଙ୍କବାଦ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଗ୍ୟାଙ୍ଗ ଓ୍ବାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ବେଆଇନ କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ ଏହି ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି ବୋଲି ଏନଆଇଏ ସୂତ୍ରରୁ ପ୍ରକାଶ। ଏକ ଷଡଯନ୍ତ୍ର ଲାଗି ବେଆଇନ କାର୍ଯ୍ୟକଳାପ ଚାଲିଥିବା ନେଇ ଏଜେନ୍ସି ସନ୍ଦେହ କରୁଛି।

ନିକଟରେ ଏନଆଇଏ ହରିୟାଣା ଏବଂ ପଞ୍ଜାବର ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲା। ଏହାପରେ ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ , ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଚଢ଼ାଉ କରାଯାଇଛି।

କୁହାଯାଉଛି ଯେ ପଞ୍ଜାବର କିଛି ଗ୍ୟାଙ୍ଗଷ୍ଟର ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଆଇଏସଆଇ ସହ ସମ୍ପର୍କ ରଖିଛନ୍ତି। ଏନେଇ ଏଜେନ୍ସିଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।

ଏହା ବ୍ୟତୀତ ପଳାତକ ଆତଙ୍କବାଦୀ ହରବିନ୍ଦର ରିନ୍ଦାଙ୍କ ସିଣ୍ଡିକେଟ ଉପରେ ମଧ୍ୟ ରୋକ ଲଗାଯିବାର ଉଦ୍ୟମ କରାଯାଉଛି। ଅଭିଯୋଗ ହୋଇଛି ଯେ ହରବିନ୍ଦର ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ନିଜର ସିଣ୍ଡିକେଟ ଚଳାଉଛନ୍ତି।

Share