‘କଲେଜ ଭିତ୍ତିଭୂମି ସୁଦୃଢ଼ କର’

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ କଲେଜଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଲାଗି ଏକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ପରିବେଶ ୟ ସବୁଜିମା ଭରା, ପରିଚ୍ଛନ୍ନ ଓ ଶାନ୍ତ ରହିଲେ ବିଦ୍ୟାର୍ଥୀମାନେ ଶିକ୍ଷା ପ୍ରତି ଆଗ୍ରହୀ ହେବେ। ଏ ଦିଗରେ ଗୁରୁତ୍ୱ ଦେଇ ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ବୈଠକରେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସବିତା ହରିଚନ୍ଦନ କହିଲେ, ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସକାରାତ୍ମକ ବିଚାରଧାରା ସୃଷ୍ଟି କରିବ। ଏ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ।
ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆବଶ୍ୟକ ନିର୍ମାଣ, ନବୀକରଣ କରାଯିବ। ଫୁଲ, ଫଳ ଗଛ ଲଗାଇ ପରିବେଶକୁ ଆକର୍ଷଣୀୟ କରାଯିବ। ମହାପୁରୁଷମାନଙ୍କ ପରାକାଷ୍ଠା ସମ୍ବଳିତ ବାର୍ତ୍ତା, ଫଟୋଚିତ୍ର ଲଗାଯିବ। କଲେଜ ହତାରେ ଅସାମାଜିକ ବ୍ୟକ୍ତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ନଜରକୁ ଆସିଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜସ୍ବ ଜମିପଟ୍ଟା ନ ଥିବା କଲେଜଗୁଡ଼ିକୁ ପଟ୍ଟା ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜ୍ୟୋତିଶଙ୍କର ସାହୁ, ଉଦୟ କୁମାର ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ସୌମ୍ୟା ଶତାଭୀଷାଙ୍କ ସମେତ ୨୨ ମହାବିଦ୍ୟାଳୟର ଅଧ୍ୟକ୍ଷ, ପୋଲିସ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।