ତୃଣମୂଳସ୍ତରରେ ଭାଜପାକୁ ମଜଭୁତ କର: କେନ୍ଦ୍ରମନ୍ତ୍ରୀ

ପାଟଣା,୨୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ପଡ଼ିଆରେ ଶନିବାର ଭାଜପାର ନିର୍ବାଚନମଣ୍ଡଳୀସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ୍‌ ସବୁଜ ମହାନ୍ତ ବର୍ମାଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ କେନ୍ଦୁଝର ଏମ୍‌ପି ସିଟ୍‌ରେ ଭାଜପା ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ବୁଥ୍‌ସ୍ତରରୁ ଦଳକୁ ମଜଭୁତ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ, ଜିଲା ପ୍ରଭାରୀ ସଞ୍ଜୀବ ମହାନ୍ତି, ଲୋକ ସଭା ମଣ୍ଡଳୀ ସଂଯୋଜକ ଶୁକଦେବ ମହାନ୍ତ, ନିର୍ବାଚନମଣ୍ଡଳୀ ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ସୁଦର୍ଶନ ମହାନ୍ତ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଜିଲା ବିସ୍ତାରକ ଲାଲଜି ଦୋରା, ପୂର୍ବତନ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତ, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ଶବୀର ଦାଶ, ଜିଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର, ସତ୍ୟବ୍ରତ ନାଏକ, ଆଲୋକ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୨ ହଜାରରୁ ଊର୍ଦ୍ଧ୍ୱ ଭାଜପା ନେତା ଓ କର୍ମୀ ଯୋଗ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ପ୍ରଥମେ ପାଟଣା ବୈତରଣୀ ନଦୀକୂଳସ୍ଥିତ ପରମେଶ୍ୱର ମହାଦେବ ମନ୍ଦିର ଦର୍ଶନ ପରେ ଆନନ୍ଦେଶ୍ବର ଶିବ ମନ୍ଦିରରେ ମହାଦେବ ଦର୍ଶନ କରିଥିଲେ। ତାପରେ ଆନନ୍ଦେଶ୍ୱର କଲ୍ୟାଣ ମଣ୍ଡପରେ ବୁଦ୍ଧିଜୀବୀ ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ଅଭ୍ୟର୍ଥନା ଗ୍ରହଣ କରିଥିଲେ। ଏହି ଅବସରରେ ବୁଦ୍ଧିଜୀବୀମାନେ ସ୍ଥାନୀୟ ପାଟଣା ଅଞ୍ଚଳ ଦେଇ ନୂତନ ରେଳପଥ ନିର୍ମାଣ, ବୈତରଣୀ ନଦୀରେ ବ୍ୟାରେଜ୍‌ ସ୍ଥାପନ ଦାବି ଉପସ୍ଥାପନ କରିଥିଲେ।