ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ କିଛି ଯୁବକ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ।
ଅଭିଯୋଗ ଅନୁଯାୟୀ, ସରକାର ଜନସାଧାରଣଙ୍କ ସୁବିଧା ପାଇଁ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବାକୁ ଅନୁଦାନ ଯୋଗାଉଥିବା ବେଳେ, ପୁରୁଷୋତ୍ତମପୁର ଏନଏସିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାୟିତ୍ୱରେ ଥିବା ସଂସ୍ଥାର କର୍ମଚାରୀମାନେ ନିଜ ଇଚ୍ଛାମୁତାବକ କାର୍ଯ୍ୟ କରୁଛନ୍ତି। ଜନବସତି ଓ ବ୍ୟସ୍ତବହୁଳ ରାସ୍ତାରେ ପୋଲ ପୋତି ଲାଇଟ୍ ଲଗାଇବା ପରିବର୍ତ୍ତେ, ଅନାବଶ୍ୟକ ସ୍ଥାନ ଏବଂ ପ୍ଲଟ୍ ବ୍ୟବସାୟୀଙ୍କ ସ୍ୱାର୍ଥରେ ବିଲମାଳ ଓ ପ୍ଲଟିଂ ହେଉଥିବା ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଉଛି।
ଏହି ବିଷୟରେ ପଚାରିବାରୁ ଦାୟିତ୍ୱରେ ଥିବା କର୍ମଚାରୀ ଅସଦ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବାରମ୍ବାର ଜନବସତି ଓ ଯାତାୟାତ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି କରାଯାଇଥିଲେ ମଧ୍ୟ ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ନିରୁପାୟ ହୋଇ ଯୁବକମାନେ ଅନଶନରେ ବସିଥିଲେ। ଅନଶନକାରୀମାନେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ସହ ଷ୍ଟ୍ରିଟ୍ ଲାଇଟ୍ ଦାୟିତ୍ୱରେ ଥିବା କର୍ମଚାରୀ ସୁଭ୍ରକାନ୍ତ ବାରିକଙ୍କୁ ହଟାଇବାକୁ ଦାବି କରିଥିଲେ।
ଏହି ଅନଶନକୁ ପୁରୁଷୋତ୍ତମପୁର ଓକିଲ ସଂଘ, ବ୍ୟବସାୟୀ ସଂଘ, ବୁଦ୍ଧିଜୀବୀ ଓ ସାଧାରଣ ଲୋକ ସମର୍ଥନ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଏନଏସି ପକ୍ଷରୁ ପୋଲ ନ ଥିବା କଥା କୁହାଯାଉଥିବା ବେଳେ କିଛି ପୋଲ ବ୍ୟକ୍ତିବିଶେଷଙ୍କ କବଜାରେ ରହିଛି। ଏହି ପୋଲଗୁଡ଼ିକ କାହାର ଏବଂ କିପରି ସେଠାରେ ରହିଛି ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ।
ଖବର ପାଇ ଏନଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ ଅନଶନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସେ ତିନି ଦିନ ମଧ୍ୟରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଅନଶନ ପ୍ରତ୍ୟାହାର କରାଯାଇଥିଲା।
ତେବେ, ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ ନ ହେଲେ ପୁଣିଥରେ ଅନଶନ କରାଯିବା ସହ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ମଧ୍ୟ ଚେତାବନୀ ଆନ୍ଦୋଳନକାରୀମାନେ ଦେଇଛନ୍ତି।