Posted inଫୁରସତ

ବିଦେଶୀ ଫଳ ‘ଷ୍ଟ୍ରବେରି’: ବେଶ୍‌ ଅର୍ଥ ଉପାର୍ଜନ କରିପାରୁଛନ୍ତି ଓଡ଼ିଶାର ଚାଷୀ

ଜଳବାୟୁ ଓ ଜମିର ଉର୍ବରତାକୁ ନେଇ ସାଧାରଣତଃ ଚାଷ କରାଯାଇଥାଏ। ସେଇଥିପାଇଁ ସବୁ ସ୍ଥାନରେ ସବୁ ଚାଷ ହୋଇପାରେନା। କିଛି ଚାଷ ସେଇ ସ୍ଥାନକୁ ନେଇ ପ୍ରସିଦ୍ଧ। ଏହି ପ୍ରସଙ୍ଗରେ ଦେଖିବାକୁ ଗଲେ ଏମିତି ଅନେକ ଫଳ ବା ପରିବା ଅଛି ଯାହା ଓଡ଼ିଶାର ଜଳବାୟୁରେ ଆଗରୁ ଚାଷ ହୋଇପାରୁ ନ ଥିଲା ବା କରାଯାଉ ନ ଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ଆମେ ବାହାରୁ ଆମଦାନୀ କରୁଥିବା ଅନେକ ବିଦେଶୀ ଫଳ ଏବେ ଓଡ଼ିଶାରେ ଚାଷ ହୋଇପାରୁଛି। ଅବଶ୍ୟ ଏଥିପାଇଁ ବିଭିନ୍ନ ନୂତନ ପ୍ରଣାଳୀର ସାହାଯ୍ୟ ନେବାକୁ ପଡୁଛି। ଏହିକ୍ରମରେ ଏକ ବିଦେଶୀ ଫଳରେ ଷ୍ଟ୍ରବେରୀର ନାଁ ଆସେ। ଯାହାକୁ ଏବେ ଓଡ଼ିଶାର କେତୋଟି ଜିଲାର ଚାଷୀ ନିଜ ଚାଷରେ ସାମିଲ କରିବା ସହ ବେଶ୍‌ ଅର୍ଥ ଉପାର୍ଜନ କରିପାରୁଛନ୍ତି।

ମହିଳା ଗୋଷ୍ଠୀଙ୍କ ଷ୍ଟ୍ରବେରି ଚାଷ: ଦିନଥିଲା, କନ୍ଧମାଳ ଜିଲାର କୃଷି କହିଲେ କେବଳ ହଳଦୀ ଓ ଧାନଚାଷରେ ଚାଷୀ ସୀମିତ ଥିଲା। କିଛି ଲୋକ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ପନିପରିବା ଚାଷ ବି କରିଥା’ନ୍ତି। ତେବେ ଏହି ଜିଲାର ଅନୁକୂଳ ଜଳବାୟୁ ଯୋଗୁ ପ୍ରଥମ ଥର ପାଇଁ ଜିଲା ପ୍ରଶାସନ ସହଯୋଗରେ ପରୀକ୍ଷାମୂଳକ ଭାବେ ରାଇକିଆ ବ୍ଲକ୍‌ର ବରେପଙ୍ଗା ଗ୍ରାମର ଏକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଷ୍ଟ୍ରବେରି ଚାଷ କଲେ। ଏଥିରେ ଜଳବିଭାଜିକା ତରଫରୁ ପ୍ରଥମେ ଜମିକୁ ଚାଷୋପଯୋଗୀ କରାଯାଇଥିଲା। ଉଦ୍ୟାନ ବିଭାଗ ତରଫରୁ ମହାରାଷ୍ଟ୍ରରୁ ପ୍ରାୟ ୨୦ ହଜାର ଷ୍ଟ୍ରବେରି ଚାରା ଆଣି ଯୋଗାଇ ଦିଆଯାଇଥିଲା।

ଓଡ଼ିଶା ଜୀବିକା ମିଶନ ତରଫରୁ ଚାଷ ଉପକରଣ ସମେତ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା। ଚାଷ କରାଯିବାର ତିନିମାସ ମଧ୍ୟରେ ଷ୍ଟ୍ରବେରି ଫଳିବା ଆରମ୍ଭ ହୋଇଥିଲା। ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଣ୍ଡସରୁ ଇକୋ ଟ୍ୟୁରିଜିମ୍‌ ଆଦି ସ୍ଥାନରେ ଷ୍ଟ୍ରବେରି କିଲୋ ପ୍ରତି ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି କରିଥିଲେ। ଗୋଟିଏ ମାସରେ ପ୍ରାୟ ଏକ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ଷ୍ଟ୍ରବେରି ବିକ୍ରି ହୋଇଥିଲା। ଗତ ଜାନୁୟାରୀ ଶେଷ ସପ୍ତାହରେ ଫୁଲବାଣୀଠାରେ ଅନୁଷ୍ଠିତ କନ୍ଧମାଳ ମହୋତ୍ସବରେ ବି ଷ୍ଟ୍ରବେରି ବିକ୍ରି କରାଯାଇଥିଲା। ଏହି ଚାଷ ଦେଖିବାକୁ ଦୈନିକ ବହୁ ସଂଖ୍ୟାରେ ଲୋକେ ଆସନ୍ତି। ରାଇକିଆ ବ୍ଲକ୍‌ର ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ଜୟଦେବ ପ୍ରଧାନ କୁହନ୍ତି, ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ ହେଉଥିବାରୁ ଚାଷୀ ଉତ୍ସାହିତ ଅଛନ୍ତି। ଚାଷ ଆରମ୍ଭରୁ ବୈଷୟିକ, ଜଳସେଚନ, ଆର୍ଥିକ ସହାୟତା ଆଦି ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା। ଚାଷପ୍ରଣାଳୀ ସମ୍ପର୍କରେ ବୁଝାଯିବା ସହ ନିୟମିତ ଏହାର ଅଗ୍ରଗତି ସମ୍ପର୍କରେ ତଦାରଖ କରାଯାଉଥିଲା। ତେବେ ଖୁସିର କଥା ଷ୍ଟ୍ରବେରୀ ଏକ ଅର୍ଥକାରୀ ଚାଷ ହୋଇପାରିଲା।

ଷ୍ଟ୍ରବେରି ଚାଷ ଦେଇଛି ପରିଚୟ: ସମ୍ବଲପୁର ଜିଲା ଜୁଜୁମୁରା ବ୍ଲକ ଅଧୀନ ପଡ଼ିଆ ବାହାଲ ଗ୍ରାମର ଜିତେନ୍ଦ୍ର ବର୍ମା ଏବଂ ତାଙ୍କର ପତ୍ନୀ ରୀନା ବର୍ମା ଏବେ ଷ୍ଟ୍ରବେରି ଚାଷକରି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଜିତେନ୍ଦ୍ର କୁହନ୍ତି, ‘ବିହାରର ଔରଙ୍ଗାବାଦ ନିକଟସ୍ଥ ଚିଲକିଭିଗା ଗ୍ରାମରେ ମୋର ଜନ୍ମ। ଷ୍ଟ୍ରବେରି ଚାଷ ପାଇଁ ଔରଙ୍ଗାବାଦରେ ଦୁଇବର୍ଷ ଟ୍ରେନିଂ ନେଇଥିଲି। ଓଡ଼ିଶାର ସମ୍ବଲପୁର ଜିଲାର ମାନେଶ୍ୱର ବ୍ଲକ ଗୁଲୁଣ୍ଡାରେ ଶ୍ୱଶୁର ଘର। ଏଠାରେ ଷ୍ଟ୍ରବେରି ଚାଷ କରିବାକୁ ମନ ବଳାଇଥିଲି। ୨୦୨୧ରେ ପଡ଼ିଆବାହାଲ ନିବାସୀ ମୋହନ ଚନ୍ଦ୍ର ସାହୁଙ୍କ ପାଟୁଆବାହାଲସ୍ଥିତ ଫାର୍ମ ହାଉସ୍‌ରେ ୧ ଏକର ଜମିକୁ ୨୦୨୪ ଯାଏ ଲିଜ୍‌ରେ ନେଇଥିଲି। ଅନୁକୂଳ ପାଣିପାଗ ନ ଥିବା ସତ୍ତ୍ୱେ ପ୍ରଥମେ ପରୀକ୍ଷାମୂଳକ ଭାବରେ ଷ୍ଟ୍ରବେରି ଚାଷକରି ବିଫଳ ହୋଇଥିଲି। କିନ୍ତୁ ଦ୍ୱିତୀୟ ବର୍ଷ ଅକ୍ଟୋବର ମାସରେ ୨୨ ହଜାର ଚାରା ଲଗାଇଥିଲି। ଚାରା ପିଛା ୧୭ରୁ ୧୮ଟଙ୍କା ଖର୍ଚ୍ଚ ହୋଇଥିଲା।

ପ୍ରାୟ ପଚାଶ ଦିନ ପରେ ଷ୍ଟ୍ରବେରୀ ତୋଳିବା ଆରମ୍ଭ କରିଥିଲି। ୮ରୁ ୧୦ ଜଣ ଦିନ ମଜୁରିଆଙ୍କୁ ଫଳ ତୋଳିବା ଓ ପ୍ୟାକିଂ କରିବା କାର୍ଯ୍ୟରେ ନିୟୋଜିତ କରିଥିଲି। ଦୈନିକ ୪୦/୫୦ ପେଟି ହାରାହାରି ଏକ କୁଇଣ୍ଟାଲ ତୋଳାଯାଉଥିଲା। ଗୋଟିଏ ପେଟିରେ ୮ ପ୍ୟାକେଟ ଷ୍ଟ୍ରବେରି ଥାଏ, ଯାହାକି ବଜାରରେ ପ୍ୟାକେଟ ପ୍ରତି ଶହେ ଟଙ୍କା ଯାଏଁ ବିକ୍ରି ହୁଏ l ବିକ୍ରି ପାଇଁ ସମ୍ବଲପୁର, ଭୁବନେଶ୍ୱରକୁ ପଠାନ୍ତି l ଏଥିରେ ଭଲ ଲାଭ ବି ମିଳିଛି। ଗତ ୨ବର୍ଷ ଧରି ଏହି ଚାଷ କରିଆସୁଛି। ଏହି ଚାଷକୁ କିପରି ଆହୁରି ଉନ୍ନତ ଧରଣର କରାଯାଇପାରିବ, ସେ ନେଇ ଚେଷ୍ଟା ଜାରି ରଖିଛି। ଓଡ଼ିଶାରେ କେମିତି ଏହି ଚାଷ ଅଧିକରୁ ଅଧିକ ହୋଇପାରିବ ସେ ଦିଗରେ କାମ କରିବାର ଲକ୍ଷ୍ୟ ରଖିଛି। ସରକାରୀ ସାହାଯ୍ୟ ମିଳିଲେ, ଆହୁରି ଆଗେଇ ପାରିବି।

ରୋଜଗାରର ମାଧ୍ୟମ ପାଲଟିଛି- କନ୍ଧମାଳ ଜିଲାରେ ସେପ୍ଟେମ୍ବରଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଶୀତ ଅନୁଭୂତ ହୁଏ। ଚଳିତବର୍ଷ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଉକ୍ତ ଜିଲାର ଦାରିଙ୍ଗବାଡ଼ି ସମେତ ଆଉ କେତେକ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଷ୍ଟ୍ରବେରି ଚାଷ ଆରମ୍ଭ କରିଥିଲେ ା ଏହି କ୍ରମରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ୨ ଏକର ଜମିରେ ପ୍ରାୟ ୨୦ ହଜାର ଷ୍ଟ୍ରବେରି ଚାରା ରୋପଣ କରାଯାଇଥିଲା। ଏଥିପାଇଁ ଗ୍ରୀନ୍‌ବାଡ଼ି ପଞ୍ଚାୟତ କୁତୁବାଡ଼ି ଗ୍ରାମର ଏଲିଜାବେଥ୍‌ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚୟନ କରାଯାଇଥିଲା। ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ କରି ମଜୁରି ବାବଦକୁ ୧ ଲକ୍ଷ ୧୫ ହଜାର ୮୮୪ ଟଙ୍କା ସ୍ଥାନୀୟ ପ୍ରଶାସନ ନିକଟରୁ ପାଇଛନ୍ତି। ଏଥିସହ ଚାରାରୋପଣ କାର୍ଯ୍ୟରେ ସେମାନଙ୍କୁ ତାରବାଡ଼ ସମେତ ଚାରା ବଞ୍ଚତ୍ବା ପାଇଁ ବିଭିନ୍ନ ଜୈବିକ ସାର, ଖତ ସହ ପଲିଥିନ୍‌, ଜଳସେଚନ ପାଇଁ ବ୍ୟବସ୍ଥାରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୫ଲକ୍ଷ ଟଙ୍କାର ସହାୟତା କରାଯାଇଥିଲା । ଜିଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ଏହି ଚାଷକୁ ସଫଳ କରିବା ପାଇଁ ହାତକୁ ନିଆଯାଇଥିଲା।

ମହିଳା ଗୋଷ୍ଠୀ ଷ୍ଟ୍ରବେରି ବିକ୍ରି କରି ଏଯାବତ୍‌ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏଲିଜାବେଥ୍‌ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କୁହନ୍ତି- ପୂର୍ବରୁ କୋବିଚାଷରେ ବହୁ କ୍ଷତି ସହିଥିଲୁ। ମାତ୍ର ଷ୍ଟ୍ରବେରୀ ଚାଷରେ ଭଲ ରୋଜଗାର ବଢ଼ିଛି ଓ ଆତ୍ମବିଶ୍ୱାସ ଦୃଢ଼ ହୋଇଛି। କମ୍‌ ସମୟ ମଧ୍ୟରେ ଅଧିକ ଲାଭ ମିଳିଛି। ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କୁହନ୍ତି, ଷ୍ଟ୍ରବେରି ଚାଷ ପ୍ରଥମଥର ପାଇଁ ଦାରିଙ୍ଗବାଡ଼ିରେ କରାଯାଇଥିଲା। ଏହା ଭଲ ହୋଇଛି। ଆଗାମୀ ଦିନରେ ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟକ୍ତିଗତ ଚାଷୀଙ୍କୁ ଏହି ଚାଷ କରିବା ପାଇଁ ପ୍ରୋତ୍ସାହନ କରାଯିବ। ସେହିପରି ସ୍ବୟଂ ସହାୟିକା ଗୋଷ୍ଠୀ ସମ୍ପାଦିକା ରେଣୁକା ପ୍ରଧାନ କୁହନ୍ତି, ଏହି ଚାଷ କଲା ବେଳେ ପ୍ରଥମେ ଆମର ଭରସା ନଥିଲା; ମାତ୍ର ଯେବେଠୁ ଷ୍ଟ୍ରବେରି ଫଳ ଦେଖିଲୁ ଆମେ ବହୁତ ଖୁସି ହେଲୁ। ଏହି ଚାଷ ପ୍ରତି ଲୋଭ ଆସିଲା। ଗୋଷ୍ଠୀର ସଭାନେତ୍ରୀ ମୋହିନୀ ପ୍ରଧାନ କୁହନ୍ତି, ଆମେ ଆଶା କରିନଥିଲୁ ଯେ ସରକାରଙ୍କ ପକ୍ଷରୁ ଏଭଳି ସହାୟତା ମିଳିବ। ଷ୍ଟ୍ରବେରି ପାଇଁ ପରିଶ୍ରମ କଲୁ। ମଜୁରି ପାଇଲୁ। ଏବେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିସାରିଛୁ। ବିକ୍ରି ପାଇଁ ନିଜ ଚାଷଜମି ନିକଟରେ ଏକ ଷ୍ଟଲ ରହିଥିବା ବେଳେ କଫତ ବଗିଚା ଏବଂ ବଜାରର ଚାରିଛକ ନିକଟରେ ଷ୍ଟଲ ଖୋଲାଯାଇଛି। କିଲୋ ପିଛା ୪୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଷ୍ଟ୍ରବେରିରୁ ଜୁସ୍‌ ତିଆରି କରି ବୋତଲ ପିଛା ୨୦ ଟଙ୍କାରେ ବିକ୍ରି କରୁଛୁ। ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକମାନେ ଏଥିପ୍ରତି ଆଗ୍ରହ ରଖିଛନ୍ତି। ସ୍ଥାନୀୟ ବାସିନ୍ଦା ମଧ୍ୟ ନିୟମିତ କିଣିଥା’ନ୍ତି।

ସୁନାବେଡ଼ାରେ ଷ୍ଟ୍ରବେରି : ଦିନେ ଲାଲଗଡ଼ ଭାବେ ପରିଚିତ ଥିବା ନୂଆପଡ଼ା ଜିଲାର ସୁନାବେଡ଼ା ଅଭୟାରଣ୍ୟ। ଏବେ ଲାଲଫଳ ଷ୍ଟ୍ରବେରିରେ ହସୁଛି । ଯେଉଁ ଟାଙ୍ଗରା ଭୂଇଁରେ ଦିନେ ଗାଈଗୋରୁ ଚରୁ ନ ଥିଲେ, ଏବେ ସେହି ପଡ଼ିଆ ଜମିରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି। ଘଞ୍ଚ ଜଙ୍ଗଲ ଭିତରେ ଜୈବିକ ପ୍ରଣାଳୀରେ ଚାଷ ହେଉଛି ଷ୍ଟ୍ରବେରି। ସମୁଦ୍ର ପତନଠାରୁ ୩୬ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟ ଅଞ୍ଚଳ। ଏହି ପରିବେଶରେ ଲଗାତାର ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ପରିସ୍ଥିତି ଦେଖାଦେଉଥିଲା। ଏଥିଯୋଗୁ ପ୍ରତିବର୍ଷ ଅଭୟାରଣ୍ୟର ଚାଷୀ ବହୁତ କ୍ଷତି ସହୁଥିଲେ। କିନ୍ତୁ ଜିଲା ପ୍ରଶାସନ ତରଫରୁ ଅଭୟାରଣ୍ୟ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ୨୦୨୨ ଅକ୍ଟୋବର/ନଭେମ୍ବର ମଧ୍ୟଭାଗରେ ୧୦ଜଣ ଚାଷୀ ୧୦ ଏକର ଜମିରେ ପ୍ରଥମକରି ଷ୍ଟ୍ରବେରି ଚାଷ କରିଥିଲେ। ଏହା ନୂଆପଡ଼ା ଜିଲାପାଳ ହେମକାନ୍ତ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚକୋଟିଆ ଭୂଞ୍ଜିଆ ଉନ୍ନୟନ ସଂସ୍ଥା (ସିବିଡିଏ) ତରଫରୁ ଷ୍ଟ୍ରବେରି ଚାଷ ପାଇଲଟ୍‌ ପ୍ରୋଜେକ୍ଟ ସହାୟତାରେ ଅଭୟାରଣ୍ୟର ଆଦିବାସୀ ଚାଷୀଙ୍କ ଦ୍ୱାରା ହୋଇଥିଲା। ତେବେ ଏଥିରେ ସଫଳତା ମିଳିଛି। ପ୍ରଥମ ବର୍ଷରେ ଏଥିରେ ସୁନାବେଡ଼ାର ଚାଷୀ ବିଶ୍ରାମ ଛତ୍ରିଆ, କଲିରାମ ସୁଆର, ଯୁବରାଜ ଛତ୍ରିଆ, ପ୍ରିତୁରାମ ବର୍ଗେ, ସନବାହାଲିର ଦୀଳୟ ଝାଙ୍କର, ସାଲେପଡାର ଗାଁଓସିଂ ମାଝି, ତଲସିଂ ଭୂଞ୍ଜିଆ, ଜୁନାପାଣିର ରାଜକୁମାର ଛତ୍ରିଆ, କୋଟ୍ରାବେଡାର ଧରମସିଂ ଭୂଞ୍ଜିଆ, ଛିନ୍ଦପାଣିର ଭୋଦେବ ସିଂ ମାଝି ପ୍ରମୁଖ ଷ୍ଟ୍ରବେରି ଚାଷ କରିଥିଲେ ା ଚାଷୀଙ୍କ ଜମିରେ ଉଠାଜଳସେଚନ ପାଇଁ ବିଭାଗ ତରଫରୁ ଗଭୀର ନଳକୂଅ ଖନନ କରାଯାଇଥିଲା ା ମାଟିକୁ କଡ଼ାଖୁସା କରି ଜୈବିକ ପ୍ରଣାଳୀରେ ଗୋବର ଖତ ପୋତି ହୁଡ଼ା ତିଆରି କରାଯାଇଥିଲା। ପଲିଥିନ ଲଗାଇ ମଲ୍‌ଚିଂ ପ୍ରସ୍ତୁତ କରିଥିଲେ। ଉଦ୍ୟାନ ବିଭାଗ ତରଫରୁ ଚାଷଜମିରେ ଡ୍ରିପ ଲଗାଇ ବୁନ୍ଦାଜଳ ପ୍ରଣାଳୀରେ ଜଳସେଚନ କରାଗଲା। ଗତ ନଭେମ୍ବର ୫ରେ ମହାରାଷ୍ଟ୍ର ରାଜ୍ୟ ପୁଣେ ମହାବଳେଶ୍ୱରରୁ ଷ୍ଟ୍ରବେରି ଚାରା ଆଣି ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ସିବିଡିଏ ସ୍ବତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୃଷି ବୈଜ୍ଞାନିକଙ୍କ ପରାମର୍ଶରେ ଚାରା ରୋପଣ କରାଯାଇଥିଲା। ସିବିଡିଏ କନିଷ୍ଠ ଯନ୍ତ୍ରୀ ସୁନୀଲ ଅର୍ଗଲଙ୍କ ମାର୍ଗଦର୍ଶନରେ ଅଭୟାରଣ୍ୟ ଜଳବାୟୁରେ ଷ୍ଟ୍ରବେରି ଚାଷରେ ସଫଳତା ମିଳିଛି। ପ୍ରଥମରୁ ଗୋବର ଖତ ଦେଉଥିବା ବେଳେ ରୋଗ ପୋକ କୀଟ ପତଙ୍ଗ ଦାଉରୁ ରକ୍ଷା କରିବା ପାଇଁ ଚାଷୀ ଗୋମୂତ୍ରକୁ ସିଞ୍ଚନ କରିଥା’ନ୍ତି । ପ୍ରଥମ କରି ଶୁଷ୍କ ତଥା ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରେ ଷ୍ଟ୍ରବେରୀ ଭଲ ଅମଳ ଦେଉଥିବାରୁ ଚାଷୀ ଉତ୍ସାହିତ ହୋଇଛନ୍ତି। ଷ୍ଟ୍ରବେରି ଚାଷ ଆଦିବାସୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇଛି।

କୃଷି ଅର୍ଥନୀତିକୁ ସମୃଦ୍ଧ କରିବ ଷ୍ଟ୍ରବେରି
କଞ୍ଚା ସମୟରେ ସବୁଜ ଓ ପାଚିଗଲେ ଲାଲ ଟହଟହ ଦେଖାଯାଉଥିବା ଫଳର ନାମ ଷ୍ଟ୍ରବେରି ା ଏହାର ରଙ୍ଗ କେବଳ ଆକର୍ଷଣ ନୁହେଁ, ବରଂ ଫଳ ଖୁବ୍‌ ରସାଳ ଓ ସ୍ବାଦିଷ୍ଠ ା ଏହିଫଳ ବିଦେଶରେ ବହୁ ଆଦୃତ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହାକୁ ପରୀକ୍ଷାମୂଳକ ଭାବେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର ମଧ୍ୟରେ ଚାଷ କରାଯାଇଛି ା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଚାଷ ଏବେ ଗ୍ରାମାଞ୍ଚଳରେ ପ୍ରବେଶ ପାଇଁ ସଚେତନତା ସୃଷ୍ଟି କରାଯାଉଛି ା ଏ ସମ୍ପର୍କରେ ବରିଷ୍ଠ ବୈଜ୍ଞାନିକ ତଥା ବିଜ୍ଞାନ କେନ୍ଦ୍ର ପରିଚାଳକ ଡ. ସୂର୍ଯ୍ୟନାରାୟଣ ମିଶ୍ର, ବୈଜ୍ଞାନିକ ମାତୃପ୍ରସାଦ ମହାନ୍ତି କହିଛନ୍ତି ଯେ ଜିଲାର କୃଷି ଅର୍ଥନୀତି ଓ କେନ୍ଦ୍ର ସରକାରଙ୍କ ଏକ ଜିଲା, ଏକ ଫସଲ ପରି ଯୋଜନାକୁ ସାକାର ପାଇଁ ଏହି ଫସଲର କ୍ଷମତା ଅଛି । ଗୋଟିଏ ଥର ଚାଷରେ ଚାଷୀ ପ୍ରାୟ ୫ବର୍ଷ ପର୍ଯ୍ୟନ୍ତ ଆୟ କରିପାରିବ । ଅଳ୍ପ ଖର୍ଚ୍ଚ ଓ ଅଧିକ ଆଦାୟ ଏହାର ମୂଳ ବିଶେଷତ୍ୱ । ତେବେ ଏହି ଚାଷ ପାଇଁ ସ୍ବତନ୍ତ୍ର ତାଲିମର ଆବଶ୍ୟକତା ଅଛି । ଜଳ, ତାତି, ଘାସ ପରିଚାଳନାକୁ ଗୁରୁତ୍ୱ ଦେବାକୁ ହେବ । ପରିସରରେ ହୋଇଥିବା ଷ୍ଟ୍ରବେରି ଚାଷ ଗତ ନଭେମ୍ବରରୁ ଆରମ୍ଭ ହୋଇଥିଲା । ଆରମ୍ଭରେ ଜଳ ପରିଚାଳନା ସହିତ କ୍ଷେତରେ ଘାସ ନ ରଖିବାକୁ ଗୁରୁତ୍ୱ ଦିଆଯାଇଛି । ଏହାବ୍ୟତୀତ ରୋଗରୁ ମୁକ୍ତି ପାଇଁ ରାସାୟନିକ ସାର ବ୍ୟବହାର କରା ନଯାଇ ନିମ ତେଲ ସ୍ପ୍ରେ ହୋଇଥିଲା । ଗତ ଦୁଇମାସ ହେବ ଏଥିରୁ ବିଭିନ୍ନ ସମୟରେ ଷ୍ଟ୍ରବେରି ଆଦାୟ ହୋଇଛି । କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଭାଗ ପକ୍ଷରୁ ଏହାର ଚାରା ଉପତ୍ାଦନ ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ତେବେ ଉକ୍ତ ଅଞ୍ଚଳ ବ୍ୟତୀତ ବାରିପଦା, କେନ୍ଦୁଝର, ବରଗଡ଼ ଜିଲା ପଦ୍ମପୁର ବ୍ଲକର ଜାମୁଖେରା, କୋରାପୁଟ ଜିଲାର କୋଟିଆ ଅଞ୍ଚଳର ଡଳିଆମ୍ବ ଅଞ୍ଚଳ, ନୂଆପଡ଼ା ଜିଲା କୋମନା ବ୍ଲକର ସୁନାବେଢ଼ା ଜଙ୍ଗଲ ଉପତ୍ୟକା ଅଞ୍ଚଳ ସମେତ ରାଜ୍ୟର ଆଉ କେତେକ ସ୍ଥାନରେ ଏହି ଷ୍ଟ୍ରବେରି ଚାଷ କରାଯାଇଥିବାର ନଜିର ରହିଛି।

ଚାଷ ପ୍ରଣାଳୀ
ଷ୍ଟ୍ରବେରି ଚାଷ ସାଧାରଣତଃ ଥଣ୍ଡା ଜଳବାୟୁରେ ହେଉଥିବା ବେଳେ ଏହା ଦେଶର ମହାରାଷ୍ଟ୍ର, ଜମୁ-କଶ୍ମୀରରେ ସର୍ବାଧିକ ପରିମାଣରେ ଚାଷ କରାଯାଇଥାଏ। ଷ୍ଟ୍ରବେରି ଚାଷ ପାଇଁ ଉର୍ବର ମାଟି ବେଶ୍‌ ଉପଯୋଗୀ। ଏହାକୁ ଚାଷ କରିବା ସମୟରେ ଆବଶ୍ୟକ ସାର ପ୍ରୟୋଗ କରିବାକୁ ହୁଏ। ବିଶେଷକରି ଶୀତଦିନ ଏହି ଚାଷପାଇଁ ବେଶ୍‌ ଉପଯୋଗୀ। ସାଧାରଣତଃ ଏହି ଚାଷ କରିବା ପାଇଁ ପ୍ରକୃଷ୍ଟ ସମୟ ହେଲା ସେପ୍ଟେମ୍ବରଠାରୁ ନଭେମ୍ବର। ଫେବୃୟାରୀ ଭିତରେ ଏହି ଚାଷରୁ ଭଲ ଅମଳ ମିଳିଥାଏ। ଥଣ୍ଡା ପାଗ ଥିଲେ ମାର୍ଚ୍ଚ ପର୍ଯ୍ୟନ୍ତ ଫସଲ ଆଦାୟ ହୁଏ। ପ୍ରାୟ ଅଢ଼େଇ ମାସ ମଧ୍ୟରେ ଏହି ଷ୍ଟବେରି ଗଛରେ ଫଳ ଫଳିବା ଆରମ୍ଭ ହୋଇଥାଏ। ରାଜ୍ୟ ସରକାରଙ୍କ ଜୀବିକା ମିଶନ ବିଭାଗ ତରଫରୁ ଷ୍ଟ୍ରବେରି ଚାଷ ପ୍ରଣାଳୀ, ଜ୍ଞାନକୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରାଯିବା ସହ ଉପଯୁକ୍ତ ମାଟି ପରୀକ୍ଷା, ମାଟି ବିଶୋଧନ, ଚାରାରୋପଣର ପ୍ରଣାଳୀ ଓ ତା’ର ଯତ୍ନ ଆଦି ଶିକ୍ଷା ଦିଆଯାଇଥିଲା । ଜୈବିକ ଖତ ଓ ଓଷଧ ପ୍ରୟୋଗର ପ୍ରଣାଳୀ ସହ ଅମଳ, ସଂଗ୍ରହ ଓ ପ୍ୟାକିଂ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଥାଏ। ସେହିପରି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଜମିର ଉନ୍ନତୀକରଣ ଓ ଜମି ସମତଳ, ହୁଡ଼ା ତିଆରି କରାଯାଇଥାଏ।

ଓଡ଼ିଶା ଜୀବିକା ମିଶନ ତରଫରୁ ସମସ୍ତ କାର୍ଯ୍ୟର ପ୍ରତ୍ୟେକ ତତ୍ତ୍ୱାବଧାନ କୃଷି ମିତ୍ର୍ରଙ୍କୁ ନେଇ ସମ୍ପନ୍ନ କରାଯାଇଥାଏ। ଷ୍ଟ୍ରବେରି ଚାଷରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରାଯାଇଥାଏ। ମାଟିହୁଡ଼ାରେ ପଲିଥିନ ଢାଙ୍କିବା ବା ମଲଚିଂ କରିବା ସହ ଜୈବିକ ଖତ ଓ ଓଷଧ ଯୋଗାଇଦେବା କାର୍ଯ୍ୟ ଆଦି କରାଯାଇଥାଏ। ମୁଖ୍ୟତଃ ଓଷଧ ଜିଆଖତ ଏବଂ ନିମ କେକ୍‌ ବା ପିଡ଼ିଆକୁ ବ୍ୟବହାର କରାଯାଇଛି। ବିିଶେଷକରି ବାଲିଆ ମାଟି ଏବଂ ମାଟିକୁ ଭଲ ଭାବେ ପାଣି ଧରି ରଖୁଥିବ ଏବଂ ମାଟିର ଅମ୍ଳତା ୭ ପିଏଚ୍‌ ରହିବା ଦରକାର, ଯାହାକି ବୁନ୍ଦା ଜଳ ବ୍ୟବସ୍ଥା ହୋଇପାରୁଥିବ। ୧୦୦ରୁ ଅତି କମ୍‌ରେ ୯୦ ବୁନ୍ଦା ଜଳ ମିଳୁଥିବା ଦରକାର। ଥରେ ଏହି ଚାରା ଲଗେଇଲେ ପ୍ରାୟ ଏକାଧିକ ବର୍ଷ ପାଇଁ ଚାରା ସଂଗ୍ରହ କରିହୁଏ।

– ବନବିହାରୀ ବେହେରା

ତଥ୍ୟ ସହାୟତା- ପ୍ରଦୀପ ବେହେରା, ଅରୁଣ ସାହୁ, ମକାରୁ ବେମାଲ, ଜଗନ୍ନାଥ ଧଳ, ରାଧାମୋହନ ଷଡ଼ଙ୍ଗୀ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri