Categories: ଜାତୀୟ

ଶୀତ ଅଧିବେଶନ ପାଇଁ ରଣକୌଶଳ

ନୂଆଦିଲ୍ଲୀ,୩ା୧୨: ଆସନ୍ତା ୭ ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ କଂଗ୍ରେସ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଶନିବାର ଏହାର ବରିଷ୍ଠ ନେତାମାନଙ୍କ ବୈଠକ ଡାକିଛି। ମୁଖ୍ୟତଃ ବେରୋଜଗାରୀ, ଦରଦାମ୍‌ ବୃଦ୍ଧି, ଟଙ୍କାର ମୂଲ୍ୟ ହ୍ରାସ, ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସତ୍ତ୍ୱେ ଭାରତରେ ପେଟ୍ରୋଲ ଡିଜେଲ୍‌ର ଦର ବୃଦ୍ଧି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଉଚ୍ଚ ଡିଏସ୍‌ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ କଂଗ୍ରେସ ଉଦ୍ୟମ କରିବ। ଶନିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟ ସଭାରେ ଦଳର ଚିଫ୍‌ ହୁଇପ୍‌ ଜୟରାମ ରମେଶ, ଲୋକ ସଭାରେ ଚିଫ୍‌ ହୁଇପ୍‌ କେ. ସୁରେଶ ପ୍ରମୁଖ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଏକାଠି ହେବେ। ଏହା ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଏବଂ ମନୀଷ ତିଓ୍ବାରି ବୈଠକରେ ଉପସ୍ଥିତ ରହିପାରନ୍ତି। ସୋନିଆ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ଅଛନ୍ତି। ଖାର୍ଗେ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପାର୍ଲାମେଣ୍ଟର ପ୍ରଥମ ଅଧିବେଶନ। ସେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଏହା ବ୍ୟତୀତ ସାଧାରଣ ସ୍ବାର୍ଥ ପ୍ରସଙ୍ଗରେ ସରକାରଙ୍କୁ ମିଳିତ ଭାବେ ଘେରିବା ଲାଗି କଂଗ୍ରେସ ଅନ୍ୟ ଦଳଗୁଡ଼ିକ ସହ ବୈଠକ କରିବ।

Share