ହେଲିକପ୍ଟର ଉଡ଼ାଣ ସମୟରେ ସାମ୍ନାକୁ ଆସିଲା ରହସ୍ୟମୟ ଜିନିଷ, ପାଇଲଟ ହେଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୫ା୧୧: ଆମେରିକାରେ ହେଲିକପ୍ଟରରେ ଉଡ଼ିବା ସମୟରେ ପାଇଲଟ ଏକ ରହସ୍ୟମୟ ତଥା ଅଜବ ଜିନିଷ ଦେଖିବାକୁ ପାଇଥିଲେ। ଯାହା ବହୁତ ବଡ଼ ଏବଂ ଅସାଧାରଣ ଆକୃତିର ଥିଲା। ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଏହି ରହସ୍ୟମୟ ଜିନିଷଟି ଧାତୁରେ ନିର୍ମିତ। ଯାହାର ଲମ୍ବ ୧୦ରୁ ୧୨ ଫୁଟ ମଧ୍ୟରେ ହେବ। ଏହା ଉତାହ ରାଜ୍ୟରେ ଦେଖିବାକୁ ମିଳିଥିଲା। ପାଇଲଟ ବ୍ରେଟ୍‌ ହୁଚିଙ୍ଗ୍‌ସ କହିଛନ୍ତି, ଏତେଦିନ ହେଲା ଉଡ଼ାଣ କଲେଣି କେବେ ବି ଏମିତି ଅଦ୍ଭୁତ ଜିନିଷ ଦେଖି ନ ଥିଲେ। ସେ କହିଛନ୍ତି, ହେଲିକପ୍ଟରରେ ଜଣେ ଜୀବବିଜ୍ଞାନୀ ମଧ୍ୟ ଥିଲେ। ପ୍ରଥମେ ସେ ଏହି ଜିନିଷ ଦେଖିବାକୁ ପାଇଥିଲେ। ବ୍ରେଟ୍‌ କହିଛନ୍ତି, ଜଣେ କଳାକାର ହୁଏତ ଏଠାରେ ଏକ ଧାତୁର ଏହି ଖମ୍ବଟି ସ୍ଥାପନ କରିଥାଇପାରନ୍ତି। ତେବେ ଏହି ଘଟଣାର ଅଧିକ ତଦନ୍ତ କରାଯିବ କି ନାହିଁ ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ।


ଜନ ନିରାପତ୍ତା ବ୍ୟୁରୋ ଏହା ମଧ୍ୟ କହିଛି ଯେ, ସରକାରୀ ଜମିରେ ଏପରି ଜିନିଷ ବିନା ଅନୁମତିରେ ସରକାରୀ ଜମି ଉପରେ ରଖିବା ବେଆଇନ ଅଟେ। ଏଥିସହିତ ଉତାହାର ହାଇଓ୍ବେ ପାଟ୍ରୋଲିଂ ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କୁ ପଚାରିଛି ଯେ, କିଏ କହିପାରିବ କି ଏହା କ’ଣ ?

Share