ୟୁରୋପର ଅଜବ ପ୍ରଥା

ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ଜନସାଧାରଣଙ୍କର ଚାଲିଚଳଣ, କଥାବାର୍ତ୍ତା ଏବଂ ପ୍ରଥା ପରସ୍ପରଠାରୁ ଭିନ୍ନ। ତେବେ ୟୁରୋପରେ ଏବେବି ଏମିତି କିଛି ପ୍ରଥାର ପ୍ରଚଳନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିବା ଏଭଳି ବିଚିତ୍ର ପ୍ରଥା ସମ୍ପର୍କରେ…

ଟମାଟିନୋ ଫେଷ୍ଟିଭାଲ: ସ୍ପେନ୍‌ର ଭ୍ୟାଲେନ୍ସିଆନ୍‌ ନାମକ ଏକ ଛୋଟ ଟାଉନ୍‌ରେ ଅଗଷ୍ଟ ମାସ ତୃତୀୟ ବୁଧବାର ଦିନ ପାଳନ ହୋଇଥାଏ ଟମାଟିନୋ ଫେଷ୍ଟିଭାଲ୍‌, ଯେଉଁଥିରେ ପ୍ରତିବର୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଭାଗ ନେଉଥିବା ବେଳେ ପ୍ରାୟ ୪୦ ମେଟ୍ରିକ୍‌ ଟନ୍‌ ଟମାଟୋ ବ୍ୟବହାର କରାଯାଇଥାଏ। ଖୁବ୍‌ କମ୍‌ ସମୟ ପାଇଁ ଆୟୋଜିତ ଏହି ଫେଷ୍ଟିଭାଲ୍‌ରେ ମାତ୍ର ଏକ ଘଣ୍ଟା ମଧ୍ୟରେ ପରସ୍ପରକୁ ଏତେ ସଂଖ୍ୟାରେ ଟମାଟୋ ଫିଙ୍ଗିଥା’ନ୍ତି ଯେ ସହର ମଧ୍ୟରେ ଏକ ଟମାଟୋ ରସର ବନ୍ୟା ଭଳି ଦେଖାଯାଇଥାଏ।
ଇଷ୍ଟରରେ ମହିଳାଙ୍କୁ ହୁଏ ମାଡ଼: ଗୋଟିଏ ପର୍ବରେ ସମସ୍ତେ ମିଳିମିଶି ଖୁସି ମନାଇବା ବଦଳରେ ମହିଳାଙ୍କୁ ମାଡ଼ କାହିଁକି ହୁଏ, ଏକଥା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ୟୁରୋପର ଜେଚ୍‌ ରିପବ୍ଲିକ୍‌ରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଇଷ୍ଟର ପାଳନ ଅବସରରେ ସେଠାକାର ପୁରୁଷମାନେ ମହିଳାମାନଙ୍କୁ ଦେଖିବା ମାତ୍ରେ ଗଛର ଡାଳରେ ମାଡ଼ ମାରିଥା’ନ୍ତି। ଏହାଦ୍ୱାରା ମହିଳାଙ୍କ ପ୍ରଜନନ କ୍ଷମତା ବୃଦ୍ଧି ହେବା ସହ ପରିବାରକୁ ସୁଖ ସମୃଦ୍ଧି ଆସିଥାଏ ବୋଲି ସେଠାକାର ଲୋକେ ବିଶ୍ୱାସ ରଖନ୍ତି। ତେବେ ଏହି ମାଡ଼ ବଦଳରେ ମହିଳାମାନେ ଯୁବକମାନଙ୍କୁ ରଙ୍ଗିନ ଅଣ୍ଡା ଦେଉଥିବା ବେଳେ ମଧ୍ୟବୟସ୍କମାନଙ୍କୁ ମଦ ଉପହାର ଦେଇଥା’ନ୍ତି।
କାଗା ଟିଓ: ସ୍ପେନ୍‌ର କାଟାଲୋନିଆଠାରେ ଖ୍ରୀଷ୍ଟମାସ୍‌ ବେଳେ ଏକ ଅଜବ ପରମ୍ପରା ପାଳନ ହେଉଥିବାର ଦେଖାଯାଏ। ସେଠାକାର ଲୋକେ ଡିସେମ୍ବର ମାସ ଆରମ୍ଭରେ ଏକ ଛୋଟ କାଠଗଣ୍ଡିରେ ମୁହଁ ଭଳି ଆକୃତି ପ୍ରସ୍ତୁତ କରି ଘର ସମ୍ମୁଖରେ ରଖନ୍ତି, ଯାହାକୁ କାଗାଟିଓ କୁହାଯାଏ। ପିଲାମାନେ ଏହାର ଯତ୍ନ ନିଅନ୍ତି ଏବଂ ଖାଇବାକୁ ଦିଅନ୍ତି, ପ୍ରତିବଦଳରେ ସେ ତାଙ୍କୁ ଉପହାର ଦେବ ବୋଲି ସେମାନଙ୍କର ବିଶ୍ୱାସ ରହିଥାଏ। ଖ୍ରୀଷ୍ଟମାସ ଦିନ ପିଲାମାନେ ଏକ ସ୍ବତନ୍ତ୍ର ଗୀତ ଗାଇ ବାଡ଼ି ସାହାଯ୍ୟରେ ଏହାକୁ ମାରିଥା’ନ୍ତି। ଶେଷରେ ସେମାନଙ୍କୁ ସେଥିରୁ ପରିବାର ସଦସ୍ୟଙ୍କ ଦ୍ୱାରା ପୂର୍ବରୁ ଲୁଚାଇ ରଖାଯାଇଥିବା ଛୋଟ ଛୋଟ ଉପହାର ଚକୋଲେଟ୍‌ ଆଦି ମିଳିଥାଏ।