ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ ଜାହାଜଗୁଡ଼ିକର କିଛି ଅଂଶ ଭାଙ୍ଗି ପାଣି ପଶିଯାଇଥିଲା । ଯାହାଫଳରେ ଏହା ବୁଡ଼ିଯିବା ସ୍ଥିତିକୁ ଚାଲିଆସିଥିଲା। ତେବେ ସଠିକ୍ ସମୟରେ ଇରାନର ଉଦ୍ଧାରକାରୀ ଦଳ ପହଞ୍ଚି ଜାହାଜରେ ଥିବା ସମସ୍ତ ୨୩ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ସମେତ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି ।
ଇରାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହର୍ମୁଜ ପ୍ରଣାଳୀର କ୍ୟୁସମ୍ ଦ୍ୱୀପ (Qeshm Island) ନିକଟରେ ଏହି ଦୁର୍ଘଟଣା ଘଟିଛି। ଜାହାଜରେ ପାଣି ପଶିବା ପରେ କ୍ୟାପଟେନ ସମସ୍ତ କ୍ରୁ ସଦସ୍ୟଙ୍କୁ ତୁରନ୍ତ ଜାହାଜ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଖବର ପାଇ ଇରାନର ‘ହର୍ମୋଜଗାନ ପ୍ରଦେଶ ସାମୁଦ୍ରିକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ସେଣ୍ଟର’ ପକ୍ଷରୁ ଏକ ଟଗ୍ ବୋଟ୍ ଓ ପାଇଲଟ୍ ବୋଟ୍ ପଠାଯାଇ ସମସ୍ତ ୨୩ ଜଣ ନାବିକଙ୍କୁ କ୍ୟୁସମ୍ ଦ୍ୱୀପକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ତେବେ ଦ୍ୱିତୀୟ ଜାହାଜଟି କେଉଁ ଦେଶର ଏବଂ ଏହି ମୁହାଁମୁହିଁ ଧକ୍କାର ପ୍ରକୃତ କାରଣ କଣ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।