ସମଲିଙ୍ଗୀ ଆପ୍‌ରେ ଫସିଲେ ନର୍ସିଂ ଅଫିସର

ଭୁବନେଶ୍ୱର, ୯।୬(ବ୍ୟୁରୋ) : ସାଇବର ଅପରାଧୀମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। କେତେବେଳେ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍‌ କରି ତ ପୁଣି ଆଉ କେତେବେଳେ ବିଭିନ୍ନ ପ୍ରକାର ମେସେଜ୍‌ ଓ ଫେକ୍‌ କଲ୍‌ କରି ଚତୁରତାର ସହ ତଥ୍ୟ ହାସଲ କରି ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ଏବେ ସମଲିଙ୍ଗୀ ଆପ୍‌ ମାଧ୍ୟମରେ ଲୋକଙ୍କୁ ଫସାଇ ଟଙ୍କା ଲୁଟିବା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ। ଏହି ର଼୍ୟାକେଟରେ ଫସି ଜଣେ ନର୍ସିଂ ଅଫିସର ଲକ୍ଷେ ଟଙ୍କା ହରାଇଛନ୍ତି। ଅଭିଯୋଗ ପରେ ତମାଣ୍ଡୋ ଥାନା ପୋଲିସ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଗିରଫ ଅଭିଯୁକ୍ତ ହେଲେ ଡୁମୁଡୁମା ଫେଜ୍‌-୨ରେ ରହୁଥିବା ସାନୁ ଓରଫ୍‌ ବାବୁ ଓରଫ୍‌ ଶୁଭମ୍‌ ସିଂ(୨୨)। ତାଙ୍କଠାରୁ ଏକ ସିମ୍‌ କାର୍ଡ ଜବତ କରାଯାଇଛି। ପରେ ପୋଲିସ ଶୁଭମ୍‌ଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହୋଇଯିବାରୁ ତାଙକ୍‌ୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଏହି ଠକେଇର ଶିକାର ନର୍ସିଂ ଅଫଇସର ଜଣକ ସ୍ଥାନୀୟ ଏକ ସରକାରୀ ମେଡିକାଲରେ କାର୍ଯ୍ୟ କରନ୍ତି। ସାଇବର ଅପରାଧୀ ପଠାଇଥିବା ସମଲିଙ୍ଗୀ ଆପ୍‌ ‘ଗ୍ରିଣ୍ଡର-ଗେ ଚାଟ୍‌’ରେ ସେ ନିଜ ନାମ ରେଜିଷ୍ଟ୍ରେଶନ କରି ଚାଟ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଲୋଭ ଦେଖାଇ ତମାଣ୍ଡୋ ଅଞ୍ଚଳକୁ ଡକାଇଥିଲେ। ସେ ନିର୍ଦ୍ଧାରିତ ସ୍ଥାନରେ ଜଣକ ପହଞ୍ଚତ୍ବା କ୍ଷଣି ଅଭିଯୁକ୍ତମାନେ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଥିଲେ। ପରେ ଉକ୍ତ ମୋବାଇଲରେ ଥିବା ଫୋନ୍‌ ପେ’ ମାଧ୍ୟମରେ ୫ ଥରରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ନେଇଯାଇଥିଲେ। ଶେଷରେ ନର୍ସିଂ ଅଫିସର ଜଣକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲା।

ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ପୂର୍ବରୁ ଏପରି ଅନେକଥର ଅପରାଧ ଘଟାଇ ସାରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସାନୁ ୨ ଜଣ ସହଯୋଗୀ ଆଲୋକ ଏବଂ ଟୁଲୁଙ୍କ ସହିତ ମିଶି ଗ୍ରିଣ୍ଡର-ଗେ ଚାଟ୍‌’ ଆପ୍‌ ମାଧ୍ୟମରେ ଲୋକଙ୍କୁ ଫସାଇ ଟଙ୍କା ଲୁଟିଥାନ୍ତି। ପ୍ରଥମେ ଅଭିଯୁକ୍ତ ଟୁଲୁ ଏହି ଆପ୍‌ ଜରିଆରେ ଲୋକଙ୍କ ମୋବାଇଲ୍‌ ଫୋନ୍‌କୁ ବାର୍ତ୍ତାଳାପ ପାଇଁ ଲିଙ୍କ୍‌ ପଠାଇଥାନ୍ତି। ବ୍ୟବହାରକାରୀ ରାଜି ହେବାପରେ ସେମାନଙ୍କୁ ପ୍ରଥମେ ରେଜିଷ୍ଟ୍ରେଶନ ପାଇଁ କୁହାଯାଇଥାଏ। ପରେ ସାକ୍ଷାତ କରିବା ପାଇଁ ଅନୁରୋଧ କରନ୍ତି। ଶେଷରେ ଅଭିଯୁକ୍ତମାନେ ଏକାନ୍ତ ସ୍ଥାନକୁ ଡାକି ବିଭିନ୍ନ ମାଧ୍ୟମରେ ଟଙ୍କା ଲୁଟି ନେଇଥାନ୍ତି। ସହଯୋଗୀ ଅଭିଯୁକ୍ତ ଆଲୋକ ଓ ଟୁଲୁକୁ ଗିରଫ ପାଇଁ ପ୍ରୟାସ ଜାରି ରହିଥିବା ଥାନା ସୂତ୍ରରୁ ଜଣାପଡିଛି।