Categories: ଜାତୀୟ

ସ୍ବାମୀଙ୍କ ହତ୍ୟାକାରୀ ସ୍ତ୍ରୀର ଷଡ଼ଯନ୍ତ୍ର ଜାଣି ଚକିତ ହୋଇଗଲା ପୋଲିସ

ଫରିଦାବାଦ୍‌, ୮ା୨- ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିଛି ଡାବୁଆ ପୋଲିସ। ଜାନୁୟାରୀ ୨୮ ତାରିଖରେ ଦିଲ୍ଲୀ ଏନ୍‌ସିଆର ସିଟିର ଡାବୁଆ ଅଞ୍ଚଳର ଡ୍ରେନରୁ ମିଳିଲା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ଅଭିଯୋଗ ନ ଥିବାରୁ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯିବା ପରେ ଦୀନେଶ ଧାଓ୍ବନଙ୍କ ନାମ ଆସିଥିଲା ପୋଲିସ ସାମ୍ନାକୁ ।

ଏହାର ପର ଦିନ ଫରିଦାବାଦ ସ୍ଥିତ ଦୀନେଶଙ୍କ ଘରେ ପହଞ୍ଚି ଥିଲା ପୋଲିସ। ସ୍ବାମୀ ଦୀନେଶଙ୍କ ସମ୍ପର୍କରେ ପଚରା ଯିବାରୁ କାମରେ ଦୁଇ ସପ୍ତାହ ହେଲା ଝାଡ଼ଖଣ୍ଡ ଯାଇଥିବା କହିଥିଲେ ଘରେ ଉପସ୍ଥିତ ଥିବା ସ୍ତ୍ରୀ (ଅନୁ)। କ’ଣ ହେଇଛି? ସେ ମୋତେ ନିୟମିତ ମେସେଜ କରୁଛନ୍ତି। ଯଦି ତାଙ୍କର କିଛି ଅସୁବିଧା ହୋଇଥାନ୍ତା, ତେବେ ସେ ମୋତେ ଜଣାଇ ଥାନ୍ତେ ବୋଲି ପୋଲିସ ଆଗରେ ଅନୁ କହିଥିଲେ। ମିଳିଥିବା ମୃତହେଦର ଫଟୋ ମଧ୍ୟ ପୋଲିସ ଦେଖାଇଥିଲା। ହେଲେ ଚିହ୍ନି ନ ଥିବା କହିଥିଲେ ଅନୁ। ମାତ୍ର ଦୀନେଶ ଅନ୍ୟ କାହାରି ଫୋନ ଉଠାଉ ନ ଥିଲେ, ଯାହାକି ପୋଲିସର ସନ୍ଦେହ ପାଇଁ ଥିଲା ଯଥେଷ୍ଟ। ଦୀନେଶଙ୍କ ମୋବାଇଲର ଲୋକେଶନରୁ ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ସେ ନୀତିନ ସାଙ୍ଗ। ନୀତିନ ପୁଣି କିଏ? ଏହି ପ୍ରଶ୍ନର ଉତ୍ତର ଦୀନେଶ ହତ୍ୟାକାଣ୍ଡ ଉପରୁ ହଟାଇଥିଲା ରହସ୍ୟର ପର୍ଦ୍ଦା।

୫୦ ବର୍ଷୀୟ ଦୀନେଶ ଥିଲେ ଜଣେ ରିୟଲ ଷ୍ଟେଟ୍‌ ଡିଲର। ତାଙ୍କୁ ଜାନୁୟାରୀ ୧୧ ତାରିଖରେ ବେକ ଚିପି ହତ୍ୟା କରିଥିଲେ ଅନୁ ଓ ତାଙ୍କ ପ୍ରେମିକ ନୀତିନ (ଦୀନେଶର ସାଙ୍ଗ)। ପ୍ରଥମେ ମୃତଦେହକୁ ବାଥରୁମରେ ରଖିଥିଲେ। କିଛି ଘଣ୍ଟା ପରେ ଆସିଥିଲା ନୀତିନଙ୍କ ସାଙ୍ଗ ହରଜୀତ। ସେମାନେ ମୃତଦେହକୁ ପ୍ଲାଷ୍ଟିକ ଓ ବ୍ଲାଙ୍କେଟରେ ଘୋଡ଼ାଇ ଏକ ବକ୍ସ ଖଟରେ ରଖି ସଫା କରି ଦେଇଥିଲେ ପୂରା ଘର। ଏହି ସମୟରେ ଝାଡ଼ଖଣ୍ଡ କାହାଣୀକୁ କାର୍ଯ୍ୟକାରୀ କରାଯାଇଥିଲା। ବୀନିତ ନାମକ ଆଉ ଜଣେ ସାଙ୍ଗକୁ ଦିଆଯାଇଥିଲା ହ୍ବାଟ୍ସଆପ ମାଧ୍ୟମରେ ଦୀନେଶଙ୍କୁ ଜୀବିତ ରଖିବାର କାର୍ଯ୍ୟ।

ମୃତଦେହରୁ ପଚା ଗନ୍ଧ ବାହାରିବା ପରେ ୧୮ ତାରିଖ ରାତିରେ ଏକ ଟେମ୍ପୋରେ ନେଇ ଡ୍ରେନରେ ପକାଇ ଦେଇଥିଲେ। ଏଥିପୂର୍ବରୁ ଏସିଡ୍‌ ପକାଇ ମୃତଦେହର ପରିଚୟ ନଷ୍ଟ କରିବାକୁ କରିଥିଲେ ଉଦ୍ୟମ। ଶବ ରଖାଯାଇଥିବା ବେଡ୍‌କୁ ସଫା କରି ଛାତ ଉପରେ ସୁଖାଇଦେଲେ। ପୋଲିସ ଏ ସମ୍ପର୍କରେ ପଚାରିବାରୁ ଅନୁ କହିଥିଲେ, ଏକ ମୂଷା ବେଡରେ ମରି ଯାଇଥିଲା।

Share