ବାତ୍ୟା ‘ୟାସ୍‌’: ୨୫ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖରେ ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭୟଙ୍କର ବାତ୍ୟା ‘ୟାସ୍‌’ରେ ପରିଣତ ହେବ। ୨୬ ତାରିଖ ସକାଳେ ଏହା ଭଦ୍ରକ ଓ ବାଲେଶ୍ୱର କିମ୍ବା ପଶ୍ଚିମବଙ୍ଗର ଦିଘା ଦେଇ ସ୍ଥଳଭାଗ ଅତିକ୍ରମ କରିବା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁମାନ କରିଛି। ତେବେ ବାତ୍ୟା ପ୍ରଭାବରେ ଆସନ୍ତା ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିଯୋଗୁ ଉତ୍ତର ଉପକୂଳ ଜିଲାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୬ ତାରିଖ ସକାଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବାତ୍ୟା। ଏଥିଯୋଗୁ ଓଡ଼ିଶା ଉପକୂଳ ଓ ପଶ୍ଚିମ ବଙ୍ଗରେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବାତ୍ୟା ଯୋଗୁ ସମସ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।