ତାଣ୍ଡବ ରଚିଲା କାଳବୈଶାଖୀ

କାମାକ୍ଷାନଗର,୩୦।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ମାତ୍ର ୩୦ ମିନିଟ୍‌ରେ ଅଞ୍ଚଳର ଚିତ୍ର ବଦଳାଇ ଦେଇଛି। କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ରୋଷେଇ ଘର, ସାଇକେଲ ଷ୍ଟାଣ୍ଡ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜିରିଡ଼ାମାଳି, କାନପୁରାରେ ବହୁ ଗଛ ଧରାଶାୟୀ ହୋଇପଡ଼ିଛି। ମୁଣ୍ଡିଦେଉଳି ବଜାରରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଘରେ ପଶିଯାଇଛି।
ବୁଧବାର ସକାଳ ବେଳା ଅଞ୍ଚଳର ପାଗ ଶୁଖିଲା ଥିବାବେଳେ ଅପରାହ୍ନରେ ପାଣିପାଗ ବଦଳିଗଲା। ସାଢ଼େ ୪ଟା ବେଳେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝଡ଼ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରବଳମାତ୍ରାରେ କରକାପାତ ହୋଇ ରାସ୍ତାଘାଟରେ ବହଳିଆ ଆସ୍ତରଣ ସୃଷ୍ଟି କରିଥିଲା। ଅନ୍ୟପଟେ ଏଭଳି କୁଆପଥର ମାଡ଼ ଚାଷୀକୁଳ ପାଇଁ ଦାରୁଣ ଦୁଃଖ ଆଣିଦେଇଛି। କାନପୁରା, ମହୁଲପାଳ, ସାରୁଆଳି ପଞ୍ଚାୟତରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଯାଇଛି। ମହୁଲପାଳ ଏବଂ ସାରୁଆଳି ଅଞ୍ଚଳର ବାଇଗଣ ଚାଷୀମାନେ ସର୍ବାଧିକ କ୍ଷତି ସହିଛନ୍ତି। ସେହିପରି କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ପରିସରରେ ଥିବା ବହୁ ଗଛ ଭାଙ୍ଗିପଡ଼ିଛି। ଗ୍ରାମର ପ୍ରଶାନ୍ତ କୁମାର ରାଉତଙ୍କ କୁକୁଡ଼ା ଫାର୍ମ ଉଡ଼ିଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତ ରାଉତ, ସାରଙ୍ଗଧର ରାଉତ, ଡମ୍ବରୁଧର ରାଉତ, ସଞ୍ଜୟ ରାଉତ, ସୁଶାନ୍ତ ରାଉତ, ଅନନ୍ତ ରାଉତ, ବିଗଲ ରାଉତ, ଭରତ ରାଉତଙ୍କ ଘର ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହୋଇଛି। ଦୀନବନ୍ଧୁ ରାଉତଙ୍କ ଘର ଉପରେ ଆମ୍ବ ଗଛ ଭାଙ୍ଗି ପଡ଼ିବାରୁ ପରିବାର ସଦସ୍ୟ ଘର ଭିତରେ ରହିଯାଇଥିଲେ। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଅନୁରୂପ ଭାବେ ଜରିଡ଼ାମାଳି ନିକଟ ଜାତୀୟ ରାଜପଥରେ ବହୁ ଗଛ ଉପୁଡ଼ି ପଡ଼ିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ଶେଷ ହେଉ ନ ଥିବାରୁ ବର୍ଷାଜଳ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଲୋକଙ୍କ ଘରେ ପଶିଯାଇଥିଲା, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।
ଅପରପକ୍ଷେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିବାରୁ ସରବରାହ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍‌ ବିଭାଗ ଏବଂ ଅଗ୍ନିଶମ କର୍ମଚାରୀ ଗଛକଟା ଜାରି ରଖିଥିବାବେଳେ ଯଥାସମ୍ଭବ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି।