ହାତୀଙ୍କ ଅବାଧ ଗତିକୁ ରୋକ

ଅନୁଗୋଳ,୨୪।୯(ଅମିତ କୁମାର ସାମଲ): ଅନୁଗୋଳ ସର୍କିଟ ହାଉସ ଠାରେ ଅନୁଗୋଳ ଜିଲା ବନ ବିଭାଗର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ହାତୀଙ୍କ ଅବାଧ ଗତିକୁ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗତ ଏପ୍ରିଲ ୧ରୁ ଏଯାଏ ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ କେବଳ ବନ୍ତଳା ରେଞ୍ଜର ୧୪ଜଣ ରହିଥିବାରୁ ଉପବାଚସ୍ପତି ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ ହାତୀ-ମଣିଷ ଲଢେଇକୁ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଅମାତ କହିଥିଲେ, ଢେଙ୍କାନାଳ ରେଞ୍ଜ ଅଞ୍ଚଳରେ ତାରବାଡ଼ କରାଯାଇଥିବାରୁ ସେଠାରେ ହାତୀ ଉପଦ୍ରବ ହ୍ରାସ ପାଇଛି। ସେହି ଅଞ୍ଚଳର ହାତୀମାନେ ଅନୁଗୋଳର ବିଭିନ୍ନ ଉପଖଣ୍ଡ ଜଙ୍ଗଲ ଅଞ୍ଚଳକୁ ଆସି ଧନଜୀବନ କ୍ଷତି ଘଟାଉଛନ୍ତି। ଏହାର ନିରାକରଣ ପାଇଁ ସାତକୋଶିଆ ଅଞ୍ଚଳରେ ଫଳ ଓ ଡାଳଯୁକ୍ତ ଚାରା ଲଗାଯାଇ ପ୍ରଚୁର ପରିମାଣର ଖାଦ୍ୟ ଶସ୍ୟ ବଢ଼ାଗଲେ ହାତୀମାନେ ଆଉ ଜନବସତି ଆଡକୁ ଆସିବେ ନାହିଁ। ଏହାଛଡ଼ା ଜନସଚେତନତା ସୃଷ୍ଟି କରିବା, ତାରବାଡ଼ ଲଗାଇବା, ଏର୍ଲି ୱାର୍ନିଂ ସିଷ୍ଟମ ଲଗାଇବା, ଟ୍ରେଞ୍ଚ ଖୋଳି ହାତୀମାନଙ୍କ ଅବାଧ ଗତିକୁ ରୋକିବା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରା ଯୋଗଦେଇ ଜିଲାର ବିଭିନ୍ନ ବନଖଣ୍ଡରେ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କଞ୍ଜା ଠାରୁ ନୂଆଖେତା ସରଂକ୍ଷିତ ଜଙ୍ଗଲ କଡେ କଡେ ମୋଟ ୯କି.ମି. ଏବଂ କନ୍ତମେଘ ଜଙ୍ଗଲ ନିକଟରେ ୨ କିମି ପର୍ଯ୍ୟନ୍ତ ଟ୍ରେଞ୍ଚ ଖୋଳାଯାଇ ସାରିଛି। ବାକି କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ ହେବ। ମୋଟ ୬୮ଟି ଅର୍ଲି ୱାର୍ନିଙ୍ଗ ସିଷ୍ଟମରୁ ୨୫ଗୋଟି ଲଗାଯାଇସାରିଛି। ମୋଟ ୪୧ କିମି ତାରବାଡ଼ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି। ଖୁବଶୀଘ୍ର କାର୍ଯ୍ୟ ସମାପ୍ତ କରାଯିବ ବୋଲି ଆଞ୍ଚଳିକ ବନ ସଂରକ୍ଷକ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଉପଖଣ୍ଡ ଅଧିକାରୀ ଏବଂ ଅନ୍ୟ ବନ ଅଧିକାରୀ, ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ଉପସ୍ଥିତ ଥିଲେ।