ନାବାଳିକାଙ୍କ ଜବରଦସ୍ତ ବିବାହ ବନ୍ଦ କର

ଇସ୍‌ଲାମାବାଦ,୧୮।୧(ଆଇଏଏନ୍‌ଏସ୍‌): ଧର୍ମୀୟ ସଂଖ୍ୟାଲଘୁଙ୍କୁ ନ୍ୟାୟ ପ୍ରଦାନରେ ପାକିସ୍ତାନ କ୍ରମାଗତ ଭାବେ ବିଫଳ ହୋଇଆସିଛି। ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯିବା ସହ ସେମାନଙ୍କୁ ଦୁଇଗୁଣ ବୟସର ପୁରୁଷଙ୍କ ସହ ବିବାହ କରିଦିଆଯାଉଛି। ପାକିସ୍ତାନରେ ନାବାଳିକା ଅପହରଣ ଓ ବାଲ୍ୟ ବିବାହ ସାଧାରଣ ଘଟଣା ହୋଇଛି। ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ନାବାଳିକା ବିବାହ ତୁରନ୍ତ ବନ୍ଦ କରିବା ଲାଗି ଜାତିସଂଘ ପାକିସ୍ତାନକୁ ପରାମର୍ଶ ଦେଇଛି। ଏହିସବୁ କାର୍ଯ୍ୟରେ ମୌଳବାଦୀ ଧର୍ମୀୟ ସଂଗଠନ ସମ୍ପୃକ୍ତିର ସ୍ପଷ୍ଟ ସୂଚନା ମିଳୁଥିବା ଅଧିକାର ବିଶେଷଜ୍ଞମାନେ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରେ ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଅପହରଣ, ବଳପୂର୍ବକ ଧର୍ମ ପରିବର୍ତ୍ତନ ଓ ବାଲ୍ୟ ବିବାହରେ ସେମାନଙ୍କ ସହ ଦେଶର ସୁରକ୍ଷା ବଳ ଏବଂ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ସମାନ ଭାବେ ଦୋଷୀ ବୋଲି ରିପୋର୍ଟରେ କୁହାଯାଇଛି।

Share