Categories: ଜାତୀୟ

ସବୁ ବର୍ଗର ଲୋକଙ୍କ ପାଖକୁ ଯାଅ

ନୂଆଦିଲ୍ଲୀ,୧୮।୧: ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଆହ୍ବାନ ଦେଇଛନ୍ତି। ଭୋଟରମାନଙ୍କ ସହ ଯୋଡ଼ିହୋଇ ରହିବା ଲାଗି ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଲୋକ ସଭା ନିର୍ବାଚନକୁ ଆଉ ୪୦୦ ଦିନ ବାକି ରହିଛି। ଲୋକଙ୍କ ସେବା ପାଇଁ ଆମକୁ ସବୁ କିଛି କରିବାକୁ ହେବ। ଆମକୁ ଇତିହାସ ସୃଷ୍ଟି କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଦୁଇଦିନିଆ କାର୍ଯ୍ୟକାରିଣୀରେ କହିଥିବା ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ସୂଚନା ଦେଇଛନ୍ତି। ବିଶେଷ କରି ୧୮ରୁ ୨୫ ବର୍ଷ ବୟସ ବର୍ଗର ଭୋଟରଙ୍କ ଉପରେ ଧ୍ୟାନଦେବାକୁ ହେବ। ସେମାନଙ୍କୁ ପୂର୍ବ ସରକାରଗୁଡ଼ିକର କୁଶାସନ ସମ୍ପର୍କରେ ଜଣାଇବା ସହ ଆମେ କିପରି ସୁଶାସନ ଅଭିମୁଖେ ଅଗ୍ରସର ହେଉଛେ ତାହା ଅବଗତ କରାଇବାକୁ ହେବ। ସେମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା ସହ ଜଡ଼ିତ କରିବା ସହିତ ସୁଶାସନରେ ସାମିଲ କରିବାକୁ ହେବ ବୋଲି ମୋଦି କହିଥିଲେ। ସୀମାନ୍ତ ଅଞ୍ଚଳ ସମେତ ଗ୍ରାମାଞ୍ଚଳରେ ଭାଜପା ସଂଗଠନକୁ ମଜଭୁତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଦଳୀୟ ନେତାମାନେ ସବୁ ବର୍ଗର ଲୋକଙ୍କୁ ନିଶ୍ଚୟ ଭେଟିବାକୁ ପରାମର୍ଶ ଦେଇଥିଲେ। ଭାଜପା କେବଳ ରାଜନୈତିକ ଆନ୍ଦୋଳନ ହୋଇ ରହିନାହିଁ, ଏହା ସାମାଜିକ-ଅର୍ଥନୈତିକ ସ୍ଥିତି ବଦଳାଇବା ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜାତୀୟ କାର୍ଯ୍ୟକାରିଣୀରେ ୩୫୦ ଜଣ ମନ୍ତ୍ରୀ, ନେତା ଓ କର୍ମୀ ଯୋଗଦେଇଥିଲେ।

Share