କିନ୍ନରଙ୍କୁ ସ୍ତ୍ରୀ କରି ରଖିଥିଲେ, ପରେ ପଥରରେ ଛେଚି କଲେ ହତ୍ୟା

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): ଦୈତାରି ଥାନା ଅନ୍ତର୍ଗତ ପାଣ୍ଡି ହଟିଂରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କିନ୍ନରଙ୍କୁ ପଥରରେ ଛେଚି ହତ୍ୟା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାଙ୍କ ନାମ ସାରାଣୀ କିନ୍ନର (୩୦) ବୋଲି ଜଣାପଡ଼ିଛି । ତାଙ୍କ ସହିତ ରହୁଥିବା ସଦାଶିବ ସାମଲ ନାମକ ଜଣେ ବ୍ୟକ୍ତି କୋଦାଳ ବେଣ୍ଟ ଓ ଶିଳ ପୁଆରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସଦାଶିବ ଖଣିରେ ଲୋଡ଼ିଂ ଶ୍ରମିକ ଭାବେ କାମ କରନ୍ତି॥ ଉଭୟ ଦୀର୍ଘବର୍ଷ ହେଲା ସ୍ବାମୀ ଓ ସ୍ତ୍ରୀ ଭାବେ ଏକାଠି ରହି ଚଳି ଆସୁଥିଲେ। ମଙ୍ଗଳବାର ସଦାଶିବ ତାଙ୍କୁ ଭାତ ଖାଇବାକୁ ଡାକିଥିଲେ। ମୁଁ ଖାଇବି ନାହିଁ ବୋଲି ସନ୍ଧ୍ୟା କହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ନିଶାଶକ୍ତ ସ୍ବାମୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ଦୈତାରି ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁଧବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ତୁଳସୀ ମଞ୍ଜରୀ ଭୂୟାଁ କହିଛନ୍ତି।