Categories: ଜାତୀୟ

ୱାଇଏସଆରସିପି-ଟିଡିପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

ଅମରାବତୀ,୧୭ ।୧୨: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛି । ପଲନାଡୁ ଜିଲାର ମାଚେରଲାରେ ଏହି ଘଟଣା ଘଟିଛି । ଉଭୟ ପକ୍ଷରୁ ପଥରମାଡ ହୋଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଉଭୟ ଦଳର କର୍ମୀ କିଛି ଗାଡି ମଟର ଜାଳିଦେବା ସହ ଅନେକ ଭଙ୍ଗାରୁଜା ବି କରିଛନ୍ତି । ଏହି ଘଟଣାରେ କେତେଜଣ ଆହତ ବି ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଏହି ଘଟଣା ବଢିବାରେ ଲାଗିଲା ପୋଲିସ ଉଭୟ ଦଳର କର୍ମୀଙ୍କ ଉପରେ ହାଲକା ବଳ ପ୍ରୟୋଗ କରିଛି । ଫଳରେ ଘଟଣାସ୍ଥଳରୁ କର୍ମୀମାନେ ଏଣେତେଣେ ଚାଲିଯାଇଥିଲେ । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ପହଞ୍ଚିବା ସହ ପୋଲିସ ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ।
ପଲନାଡ ଏସପି ୱାଇ ରବିଶଙ୍କର ରେଡ୍ଡି କହିଛନ୍ତି ମାଚେରଲା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଆପରାଧିକ ଇତିହାସ ଥିବା କେତେଜଣ ବ୍ୟକ୍ତି ବିରୋଧିଙ୍କ ଉପରକୁ ପଥରମାଡ କରିଥିଲେ । ଏଥିରେ ସାମିଲ ଲୋକଙ୍କୁ ପୋଲିସ ଅଟକ ରଖିଛି । ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାସହ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।

Share