ନୂଆପଡ଼ା,୨୫।୪(ମକାରୁ ବେମାଲ):ବଣପାହାଡଘେରା ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ସମ୍ଭାର ଭରି ରହିଛି। ଏଥିରୁ ଜିଲା ପ୍ରଶାସନ ଭଲ ରାଜସ୍ବ ମଧ୍ୟ ଆଦାୟ କରେ। ଲଘୁ ଖଣିଜ ଦ୍ରବ୍ୟ ମଧ୍ୟରେ ନୂଆପଡ଼ା ଜିଲାରେ ଅନେକ ପଥର କ୍ରଶର ସ୍ଥାପନ କରାଯାଇଛି। ପଥର କ୍ୱାରି ଓ କ୍ରଶର ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ରହିଥିଲା। କିନ୍ତୁ ପରେ ଖଣି ବିଭାଗ ଅଧୀନକୁ ଚାଲିଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ନୂଆପଡ଼ା ଜିଲାରେ ଅନେକ ପଥର କ୍ରଶର ରହିଥିବାବେଳେ ସେଥିରୁ ଅନେକ ବିନା ଲିଜ୍ରେ ଚାଲିଛି। କ୍ରଶର ଯୋଗୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି। ହେଲେ ଜିଲାରେ କେତୋଟି କ୍ରଶର ରହିଛି। କେତୋଟି କ୍ରଶର କାର୍ଯ୍ୟକାରୀ ହେଉଛି, କେଉଁ କ୍ରଶରର ଲିଜ୍ ଅବଧି କେବେ ସରିଯାଇଛି, ତାହା କାହାକୁ ମଧ୍ୟ ଜଣାନାହିଁ। ଜିଲା ଖଣି ବିଭାଗକୁ ଯାଇ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇଥିଲା। ନୂଆପଡ଼ା ଜିଲା ଖଣି ଅଧିକାରୀ ଦିଲୀପ କୁମାର ମାହାନଙ୍କୁ ପଚାରିବାରୁ ଜିଲାର ସବୁ କ୍ରଶରର ତଥ୍ୟ ବିଭାଗ ପାଖରେ ନାହିଁ ବୋଲି କହିଥିଲେ। ଏହାପରେ ନୂଆପଡ଼ା ସଦର ତହସିଲରେ ମଧ୍ୟ ପଚାରିବାରୁ କ୍ରଶରଗୁଡିକ ସେମାନଙ୍କ ହାତରୁ ବର୍ତ୍ତମାନ ଖଣି ବିଭାଗ ଅଧୀନକୁ ଚାଲିଗଲାଣି ବୋଲି କହିଥିଲେ। ସେହିପରି ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁଡିସିଆଲ ବିଭାଗକୁ ପଚାରିବାରୁ ସେମାନଙ୍କ ପାଖରେ କୌଣସି ତଥ୍ୟ ନାହିଁ, ସେମାନେ କେବଳ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁଶନ ସାର୍ଟିଫିକେଟ) ଦେଇଥାନ୍ତି ବୋଲି କହିଥିଲେ। ଏସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ପଚାରିଲେ ସବୁ ତଥ୍ୟ ମିଳିଯିବ ବୋଲି ଜଣେ ଅଧିକାରୀ କହିଥିଲେ। ସବୁଠାରୁ ବଡ଼ ଦୁଃଖର କଥା ହେଲା ନୂଆପଡ଼ା ଜିଲାରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ। ଏହା ବଲାଙ୍ଗୀରସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିଚାଳିତ ହୋଇଆସୁଛି। ଏହା ଜାଣିବାକୁ ହେବ ଯେ, ଜଣେ କ୍ରଶର ବସାଇଛି,ତା’ପାଖରେ କ୍ୱାରି ଲିଜ୍ ରହିବା ଆବଶ୍ୟକ ନୁହେଁ। ସେ ଯେଉଁଠାରୁ ମଧ୍ୟ ପଥର ଆଣି କ୍ରଶର ଚଳାଇପାରିବେ। କିନ୍ତୁ ସେଥିପାଇଁ ମଧ୍ୟ କିଛି ନିୟମକାନୁନ ରହିଛି। ପଥରର ରୟାଲଟି କାହାକୁ ଦେଉଛି,ତାହା ମଧ୍ୟ ଜାଣିବା ଆବଶ୍ୟକ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଜିଲାର ଦୁଇଟି କ୍ରଶରକୁ ବାଦ୍ ଦେଲେ ଅନ୍ୟ କ୍ରଶରଗୁଡିକର କ୍ୱାରି ଲିଜ୍ ଅବଧି ୨୦୨୬ ଜାନୁଆରୀଠାରୁ ଶେଷ ହୋଇଯାଇଛି। କିନ୍ତୁ ସେମାନେ ଏଯାଏ କ୍ୱାରି ଲିଜ୍ ନବୀକରଣ କରିନାହାନ୍ତି। ବିନା ନବୀକରଣରେ କ୍ୱାରିରୁ ପଥର ଆଣି ବେଧଡକ ଭାବରେ ମାଳିକମାନେ କ୍ରଶର ଚଳାଉଛନ୍ତି। ଏହା ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ। ଏହା ଦ୍ୱାରା ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ଜିଲାରେ କ୍ରଶରଗୁଡିକ ଚାଲିଛି କେମିତି। କ୍ରଶରରୁ ରାଜସ୍ବ ଆଦାୟ ହେଉଛି କିପରି, ସେହି ରାଜସ୍ବ ଆଦାୟ ଟଙ୍କା କେଉଁଠିକୁ ଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା