ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି। ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ସୂଚନା ଅନୁଯାୟୀ ଥାନା କେସ୍‌ ନମ୍ବର ୧୦୮ ତାରିଖ ୯. ୯. ୨୦୨୬ କୁ ଭିତ୍ତି କରି ଗିରଫ ସିଦ୍ଧାନ୍ତ ସେହି ଗ୍ରାମର ସମ୍ପର୍କୀୟ କାନୁନ ବେବର୍ତ୍ତାଙ୍କ ଘରୁ ୨୨୦୦୦ ଟଙ୍କା, ଗୋଟିଏ ମୋବାଇଲ ଓ ମୋଟରସାଇକେଲ ଚାବି ଚୋରି କରିବା ସହ ଘର ଦାଣ୍ଡରେ ଥିବା ମୋଟର ସାଇକେଲ (ଓଡି ୧୮ପି ୭୮୪୧) ଧରି ଚାଲି ଯାଇଥିଲା। ତଦନ୍ତ କରିବା ପରେ ବ୍ଲକର ତଳତାମ୍ପର ଓ ବଲିଗୁଡ଼ା ଗ୍ରାମ ମଝିରେ ଥିବା କାଜୁ ତୋଟାରେ ଚୋରି ମୋଟରସାଇକେଲ ଓ ଡିକିରେ ରଖିଥିବା ଚାବି ପୋଲିସକୁ ମିଳିଥିଲା। ମୋଟରସାଇକେଲ, ନଗଦ ୨୨୦୦୦ ଟଙ୍କା ଏବଂ ଚୋରି ମୋବାଇଲକୁ ଅତି ଚତୁରତାର ସହ ଉଦ୍ଧାର କରିଥିଲା ପୋଲିସ। ଗିରଫ ବ୍ୟକ୍ତି ସମସ୍ତ ଘଟଣା ସମ୍ପର୍କରେ ସ୍ବୀକାର କରିବା ସହ ଯାହା ଘରୁ ସେ ଚୋରି କରିଛି ସେ ନିଜ ସମ୍ପର୍କୀୟ ଶଳା ହେବ ବୋଲି ପୋଲିସକୁ କହିଥିଲା। ଉଦ୍ଧାର କରାଯାଇଥିବା ମୋଟରସାଇକେଲ, ଟଙ୍କା ଓ ମୋବାଇଲକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି କେସ୍‌ରେ ତଦନ୍ତକାରୀ ଅଫିସର ଭାବେ ପି. ଶ୍ୟାମସୁନ୍ଦର ଦାୟିତ୍ୱ ନେଇଛନ୍ତି। ଗୁଡ଼ାରି ପୋଲିସର ଟିମ ଓ୍ବର୍କ ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ଥାନା ଅଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

Share