ଦୁଇ ମନ୍ଦିରରୁ ଚୋରି, କାଳି ମନ୍ଦିର ହୁଣ୍ଡିରୁ ୧ଲକ୍ଷ ଟଙ୍କା ସମେତ ସୁନା ଓ ରୂପା ଗହଣା ଗାଏବ

ରାୟଗଡା,୨୦।୫(ସ୍ବ.ପ୍ର): ରାୟଗଡା ଏସପି ବାସଗୃହ ନିକଟସ୍ଥ କାଳୀ ମନ୍ଦିରରୁ ଚୋରି ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ କାଳୀ ମନ୍ଦରି ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଭିତରେ ପଶି ପ୍ରବେଶ ଦ୍ୱାରରେ ରହିଥିବା ହୁଣ୍ଡିର ତାଲା ଭାଙ୍ଗି ସେଥିରୁ ସମସ୍ତ ନୋଟ୍‌ ଓ କଏନ ସବୁ ଚୋରି କରିନେଇଛନ୍ତି । ଆନୁମାନିକ ପ୍ରାୟ ୧ ଲକ୍ଷ ଟଙ୍କା ସମେତ ସୁନା ଓ ରୂପା ଗହଣା ମଧ୍ୟ ହୁଣ୍ଡିରୁ ଚୋରି ହୋଇଥିବା କାଳୀ ମନ୍ଦିର କମିଟି ସଭାପତି ଦିଲିପ ପଟ୍ଟନାୟକ କହିଛନ୍ତି । ସେହିଭଳି ଗୌତମ ନଗର ସ୍ଥିତ ଶିବ ମନ୍ଦିରରୁ ମଧ୍ୟ ଏକ ମାସ ବ୍ୟବଧାନରେ ପୁଣି ଥରେ ଚୋରି ହୋଇଥିବା ଜଣାପଡିଛି । ମନ୍ଦିରରେ ରହିଥିବା ସ୍ଥାୟୀ ହୁଣ୍ଡିକୁ ଦୁର୍ବୃତ୍ତ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଭାଙ୍ଗି ପାରି ନ ଥିଲେ। ତେବେ ସେଠାରେ ରହିଥିବା ଅନ୍ୟ ଏକ ଷ୍ଟିଲ ହୁଣ୍ଡିଟିକୁ ଭାଙ୍ଗି ସେଥିରୁ ପ୍ରାୟ ୨ହଜାର ଟଙ୍କା ଚୋରି କରିନେଇଥିବା ମନ୍ଦିର ପୂଜକ ପ୍ରକାଶ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏସପିଙ୍କ ବାସଭବନ ପାର୍ଶ୍ୱରେ କାଳୀ ମନ୍ଦିର ରହିଥିବା ବେଳେ ଉକ୍ତ ଛକ ଉପରେ ଲାଗିଥିବା ୩ଟି ସିସି କ୍ୟାମେରା ଶୁକ୍ରବାର ରାତି ଠାରୁ ଅଚଳ ରହିଛି ବୋଲି ପୋଲିସ ସୂଚନା ଦେଇଛି ।