ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ସୋମବାର ଦିନଟି କୌଣସି ବଡ଼ ଝଟ୍କାଠାରୁ କମ ନଥିଲା। ସକାଳେ କାରବାର ଆରମ୍ଭରେ ବଜାରରେ ଭଲ ବୃଦ୍ଧି ଦେଖାଦେଇଥିଲା। କିନ୍ତୁ ଏହି ଲାଭ ଧୀରେ ଧୀରେ ଗାଏବ ହୋଇଯିବା ସହ ହଠାତ୍ ଜୋରଦାର ଶେୟାର ବିକ୍ରି ଆରମ୍ଭ ହୋଇଥିଲା। ସେନ୍ସେକ୍ସ (Sensex) ଦିନର ସର୍ବୋଚ୍ଚ ସ୍ତରରୁ ୧,୬୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି (Nifty 50) ମଧ୍ୟ ୨୫,୬୦୦ର ଗୁରୁତ୍ୱପୂର୍ଣ୍ଣ ସ୍ତର ତଳକୁ ଖସିଆସିଥିଲା।
ମଧ୍ୟାହ୍ନ ୧୨ଟା ୨୦ ସୁଦ୍ଧା ସେନ୍ସେକ୍ସ ୯୫୫ ପଏଣ୍ଟ ହ୍ରାସ ପାଇ ୮୨,୯୭୨ ସ୍ତରରେ କାରବାର କରୁଥିବା ବେଳେ ନିଫ୍ଟି ୨୮୦ ପଏଣ୍ଟ ଖସି ୨୫,୫୧୯ ସ୍ତରରେ ପହଞ୍ଚିଥିଲା। ବଜାରରେ ଏହି ହଠାତ୍ ହ୍ରାସ ଯୋଗୁ ମାତ୍ର କିଛି ଘଣ୍ଟା ମଧ୍ୟରେ ନିବେଶକଙ୍କ ସମ୍ପତ୍ତିରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ଘଟିଥିଲା। ଶେୟାର ବଜାରରେ ଏହି ହ୍ରାସ ସହ ବିଏସଇ (BSE)ରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି (Market Capitalisation)ରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା।
ଗତ ଲଗାତାର ଚାରି ସପ୍ତାହ ଧରି ଶେୟାର ବଜାରରେ ଭଲ ବୃଦ୍ଧି ଜାରି ରହିଥିଲା। ପ୍ରମୁଖ ସୂଚକାଙ୍କଗୁଡ଼ିକ ପୂର୍ବ ରେକର୍ଡ ସ୍ତରର ନିକଟତର ହୋଇଥିଲେ। ଏଭଳି ସ୍ଥିତିରେ ଅଧିକ ରିସ୍କ ନେବା ପରିବର୍ତ୍ତେ ଅନେକ ନିବେଶକ ଉଚ୍ଚ ଦରରେ ଶେୟାର ବିକ୍ରି କରି ଲାଭ ଉଠାଇବାକୁ ଉଚିତ୍ ମଣିଥିଲେ। ଫଳରେ ବଜାରରେ ବିକ୍ରି ଚାପ ବଢ଼ିଥିଲା।