ଅନୁସୂଚିତ ଜାତି ଓ ଜନତାତି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବଢ଼ିଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବଢ଼ାଇଛନ୍ତି। ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରୁ ଛାତ୍ରୀଛାତ୍ର ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡର ସୁବିଧା ପାଇବେ ବୋଲି ଏନେଇ ଆଜି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍ବତନ୍ତ୍ର ଛାତ୍ରାବାସରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମାସିକ ସ୍କଲାରଶିପ୍‌ ଅର୍ଥରେ ୧୦୦ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥାତ ଝିଅମାନଙ୍କୁ ମାସିକ ୧୧୦୦ଟଙ୍କା ଓ ପୁଅଙ୍କୁ ୧୦୫୦ଟଙ୍କାର ସ୍କଲାରଶିପ୍‌ ୧୦ମାସ ପର୍ଯ୍ୟନ୍ତ ମିଳିବ । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢୁଥିବା ଡେ-ସ୍କଲାର ଛାତ୍ରୀଛାତ୍ର(ଷଷ୍ଠ ଓ ସପ୍ତମ ଶ୍ରେଣୀ)ଙ୍କୁ ବାର୍ଷିକ ୫୦୦ ଟଙ୍କା ସ୍କଲାରଶିପ୍‌ ମିଳିବ। ଏବେ ଏହା ଝିଅଙ୍କ ପାଇଁ ୨୪୦ ଟଙ୍କା ଓ ପୁଅଙ୍କ ପାଇଁ ୧୮୦ଟଙ୍କା ରହିଛି । ସଂଶୋଧିତ ନିଷ୍ପତ୍ତି ଅନୁସାରେ ଉଭୟ ଝିଅ-ପୁଅ ସମାନ ଭାବେ ୫୦୦ଟଙ୍କା ଷ୍ଟାଇପେଣ୍ଡ ପାଇବେ। ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ମାସିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ମିଳିବ । ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ସ୍କଲାରଶିପ୍‌ ଲାଗୁ ହେବ।