ଆଜି ବି ଅନ୍ଧାରରେ ନେହେଲା: ଦୁର୍ଗମ ଅଞ୍ଚଳରେ ସାତସପନ ବିଜୁଳି

ଥୁଆମୂଳ ରାମପୁର,୩୦ା୪ (ଦୁର୍ଗା କୀର୍ତ୍ତି):ସରକାର ସବୁ ଗାଁକୁ ବିଜୁଳିର ନାରା ଦେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଏହା ଏବେ ବି ସାତସପନ। ସ୍ବାଧୀନତାର ୭ ଦଶନ୍ଧି ପରେ ବି ଏହି ଗାଁକୁ ବିଜୁଳି ଆଲୁଅ ପହଞ୍ଚତ୍ପାରିନାହିଁ। କିଛିବର୍ଷ ତଳେ କିଆପଦରରୁ କାଣିଗୁମା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହେବା ଫଳରେ ନେହେଲା ଭଳି ଦୁର୍ଗମ ଗାଁଗୁଡ଼ିକ ବାହ୍ୟ ଜଗତ ସହ ଯୋଡ଼ି ହୋଇଛି। ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ଗାଁର ଉପରପଡ଼ାର ପ୍ରତ୍ୟେକ ଘର ସମ୍ମୁଖରେ ଟ୍ୟାପ ଲାଗିଥିଲେ ବି ଆଜି ପର୍ଯ୍ୟନ୍ତ ସେଥିରୁ ବୁନ୍ଦାଏ ପାଣି ବାହାରି ନାହିଁ। ଗାଁରେ ବିଜୁଳି ନ ଥିବାରୁ ମୋବାଇଲ ଚାର୍ଜ କରିବା ପାଇଁ ଲୋକଙ୍କୁ ମାଇଲ ମାଇଲ ବାଟ ଚାଲି ବିଦ୍ୟୁତ୍‌ ଥିବା ଗାଁକୁ ଯିବାକୁ ପଡ଼ୁଛି। ପୂର୍ବରୁ ସ୍ଥାପିତ ସୌର ପ୍ରକଳ୍ପ ଅଚଳ ହୋଇପଡ଼ିଛି। ବର୍ତ୍ତମାନ କିଛି ଘରକୁ ସୋଲାର ଲାଇଟ ମିଳିଥିଲେ ବି ମେଘୁଆ ପାଗ କିମ୍ବା ବର୍ଷା ଦିନେ ତାହା କାମ କରେ ନାହିଁ। ଟିଭି, ଫ୍ୟାନ ତ ଦୂରର କଥା, ଏହି ଡିଜିଟାଲ ଯୁଗରେ ଗ୍ରାମବାସୀ ଅନ୍ଧାରରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। କେବଳ ନେହେଲା ନୁହେଁ, ଏହି ପଞ୍ଚାୟତର ଅରଖପେଡି, ଭୁଟୁରିଗୁଡ଼ା, ଖିଡକାଦୋରୋ ଓ ଲୋହରାଗୁଡ଼ା ଭଳି ଅନେକ ଗାଁରେ ଏବେ ବି ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଗ୍ରାମବାସୀ ଜିଲାପାଳଙ୍କ ଅଭିଯୋଗ ଶୁଣାଣିଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏ ନେଇ ଥୁଆମୂଳ ରାମପୁର ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭ୍ରତଜିତ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଅଞ୍ଚଳ ବିଷୟରେ ମୁଁ ଅବଗତ ନ ଥିଲି। ବର୍ତ୍ତମାନ କୌଣସି ନୂତନ ଯୋଜନା ନାହିଁ। ତଥାପି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଗାଁରେ ଶୀଘ୍ର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ।

 

Dharitri – Odisha’s No.1 Odia Daily

 

Share