ଏବେ ବି ଏକା ଏକା…

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ବିନୋଦ ଖାନ୍ନା ବଲିଉଡ୍‌ରେ ଥିବାରୁ ଅକ୍ଷୟଙ୍କର ମଧ୍ୟ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହ ଥିଲା। ୧୯୯୭ରେ ସେ ହିମାଳୟ ପୁତ୍ର ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କର ବର୍ଡର ଫିଲ୍ମ ମଧ୍ୟ ଆସିଥିଲା। ଏହାପରେ ଆ ଅବ୍‌ ଲୌଟ୍‌ ଚଲେରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ୧୯୯୯ରେ ତାଲ୍‌ ଫିଲ୍ମରେ ଅଭିନୟ ତାଙ୍କ ପାଇଁ ପରିଚିତି ଆଣିଦେଇଥିଲା। ତାଙ୍କ ଅଭିନୀତ ଦିଲ୍‌ ଚାହାତା ହୈ, ହମରାଜ୍‌, ଏଲ୍‌ଓସି କାରଗିଲ୍‌, ୩୬-ଚାଇନା ଟାଉନ୍‌, ରେସ୍‌, ଲକ୍‌ ବାଇ ଚାନ୍ସ୍‌, ଢିସୁମ୍‌, ସେକଶନ୍‌ ୩୭୫, ସବ୍‌ କୁଶଳ ମଙ୍ଗଳରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଫିଲ୍ମ ଲାଇଫ୍‌ ପରି ତାଙ୍କର ରିୟଲ ଲାଇଫ୍‌ରେ ମଧ୍ୟ ବହୁ ବାଧାବିଘ୍ନର ସେ ସାମ୍ନା କରିଛନ୍ତି। ଅଭିନେତା ରଣଧୀର କପୁରଙ୍କ ପୁତ୍ରୀ କରିଶ୍ମା କପୁରଙ୍କ ସହିତ ଅକ୍ଷୟଙ୍କର ବିବାହ କରିବା ପାଇଁ ଯୋଜନା ହୋଇଥିଲା। ଏନେଇ ରଣଧୀର ଏବଂ ବିନୋଦ ଖାନ୍ନା ସାକ୍ଷାତ୍‌ ହୋଇ ଆଲୋଚନା କରିଥିଲେ। ତେବେ ଏଥିରେ କରିଶ୍ମାଙ୍କ ମାତା ବବିତା ବାଧା ଦେଇଥିଲେ। ବିବାହ ତୁଳନାରେ କରିଶ୍ମାଙ୍କ କ୍ୟାରିଅରକୁ ବବିତା ଅଧିକ ଗୁରୁତ୍ୱ ଦେଇଥିଲେ ଫଳରେ ବିବାହ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ କରିଶ୍ମା ଅନ୍ୟତ୍ର ବିବାହ କରିଥିଲେ ଏବଂ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଅକ୍ଷୟ ଏପର୍ଯ୍ୟନ୍ତ ବିବାହ ନ କରି ଏକା ଏକା ରହିଛନ୍ତି।

Share