Posted inଫୁରସତ

ତଥାପି ସକ୍ଷମ

କେବଳ ଯେ ଜଣେ ସୁସ୍ଥସବଳ ଶରୀରଧାରୀ ମଣିଷ ସଫଳ ହୋଇପାରିବ, ଆଗକୁ ବଢିପାରିବ ତାହା ନୁହେଁ। ବେଳେବେଳେ ହାତ, ଗୋଡ ନ ଥିବା ମଣିଷ ବି ଏମିତି କିଛି କରି ଦେଖାଏ ଯାହା ସୁସ୍ଥ ମଣିଷ ପକ୍ଷେ ସମ୍ଭବ ହୁଏନା। ଠିକ ଯେମିତି ଏଇ ହାତ ନ ଥିବା ମଣିଷମାନେ। ହାତ ସିନା ନାହିଁ ହେଲେ ଏମାନେ ନୁହନ୍ତି କାହାଠାରୁ କମ୍‌…

ଗୌତମ: ଜନ୍ମରୁ ତାଙ୍କର ହାତ ନାହିଁ କିନ୍ତୁ ଅଦମ୍ୟ ଇଚ୍ଛା ଶକ୍ତି ବଳରେ ସେ ସବୁ କାମକୁ ଖୁବ୍‌ ସହଜରେ କରିପାରନ୍ତି। ସେ ହେଲେ ଗୌତମ ବେହେରା। ପିତା ସଞ୍ଜୟ ବେହେରା, ମାତା ଜାହ୍ନବୀ ଦେବୀ। ଘର ବାଲେଶ୍ୱର ଜିଲାର ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ନେହୁରା ଗାଁରେ। ଗୌତମ କୁହନ୍ତି- ଜନ୍ମରୁ ଦୁଇଟି ଯାକ ହାତ ନାହିଁ। ଯେତେବେଳେ ୪ବର୍ଷର ହୋଇଥିଲି ସେତେବେଳେ ପ୍ରଥମେ ଘୋଷାଡ଼ି ହୋଇ ଦୁଇଗୋଡ଼ରେ ଠିଆ ହେବାକୁ ଛେଷ୍ଟା କରୁଥିଲି। ଏମିତି ଅଭ୍ୟାସ କରୁ କରୁ ଦୁଇଟି ଯାକ ଗୋଡ଼ ଧୀରେ ଧୀରେ ସକ୍ରିୟ ହେବାକୁ ଲାଗିଲା। ଚଲାବୁଲା କରିବାକୁ ସକ୍ଷମ ହୋଇପାରଲି। ମୋ ବାପା ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ, ମା’ ଜଣେ ଗୃହିଣୀ। ମା’ ବାପା ମତେ ଶ୍ରଦ୍ଧାରେ ଜଗନ ବୋଲି ଡାକନ୍ତି। ବାପାଙ୍କର ଇଛା ଥିଲା ମୁଁ ବହୁତ ପାଠ ପଢେ। ସେଥିପାଇଁ ସେ ମତେ ଗୋଡ଼ଆଙ୍ଗୁଠି ସନ୍ଧିରେ ଚକଖଡ଼ି ରଖି ଘରଚଟାଣରେ ଗାରଟାଣିବା ଓ କିଛି ଲେଖିବା ଅଭ୍ୟାସ କରାଇଥିଲେ। ସମୟକ୍ରମେ ଧୀରେ ଧୀରେ ଆଙ୍ଗୁଠି ଦ୍ୱାରା ଲେଖିବା ଅଭ୍ୟାସ ହୋଇଗଲା। ତା ପରେ ଖାଳମୁହାଣି ସ୍କୁଲରେ ୧ମରୁ ୭ମ ଯାଏ, ଶ୍ରୀରାମପୁର ଉଚ୍ଚବିଦ୍ୟାଳୟରେ ଅଷ୍ଟମରୁ ୧୦ମ ଯାଏ ପଢିଲି। ସ୍କୁଲ ବୟସରୁ ପେନ୍‌ସିଲରେ ଭଲ ଚିତ୍ର ଅଙ୍କିବା ସହ ଗୀତ ଗାଇବାକୁ ଭଲ ପାଉଥିଲି। ଏଥିପାଇଁ ଅନ୍ୟମାନେ ବି ମତେ ଉତ୍ସାହିତ କରୁଥିଲେ। ମାଟ୍ରିକରେ ଶତକଡ଼ା ୮୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲି। ପାଠପଢା ସହିତ ଦୁଇ ଗୋଡ଼ ସାହାଯ୍ୟରେ ମାବାଇଲ୍‌, ଲାପଟପ୍‌, କମ୍ପ୍ୟୁଟର ପରି ଗ୍ୟାଜେଟ ଚଳାଇବାରେ କିଛି ଅସୁବିଧା ହୁଏନା, ବରଂ ମଜାଲାଗେ। କ୍ୟାରମ, ଫୁଟବଲ ବି ଖେଳିପାରୁଛି। ଖାଲି ଯାହା ନିଜର ପୋଷାକପତ୍ର ପିନ୍ଧିବାରେ ଟିକେ ଅସୁବିଧା ହେଉଛି। ମୋର ପ୍ରତିଭା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ପୁରସ୍କାର ମିଳିଛି, ଯାହା ମତେ ବେଶ୍‌ ଖୁସି ଦିଏ। ଏହିସବୁ ପାଇଁ ମୁଁ ନିଜକୁ କେବେ ଅକ୍ଷମ ଭାବେନା। କାରଣ ଅନ୍ୟ ସାଧାରଣ ଲୋକଙ୍କ ପରି ମୁଁ ବି ବେଶ୍‌ ସହଜରେ ଅନେକ କାର୍ଯ୍ୟ କରିପାରୁଛି। ଭଗବାନ ମତେ ଜଣେ ମଣିଷଭାବେ ସଂସାରକୁ ଆଣିଛନ୍ତି। ଏଥିତ୍ରେ ମୁଁ ବହୁତ ଖୁସୀ। ଏବେ ମୁଁ ହାଇଦ୍ରାବାଦର ଇଂଲିଶ ଆଣ୍ଡ ଫରେନ ଲାଙ୍ଗୁଏଜ୍‌ ୟୁନିଭର୍ସିଟିରେ ଇଂରାଜୀଭାଷାରେ ମାଷ୍ଟର ଡ଼ିଗ୍ରୀ କରୁଛି। ମା’ବାପାଙ୍କ ଆଶୀର୍ବାଦ ମତେ ସର୍ବଦା ଜଣେ ସକ୍ଷମଙ୍କ ପରି ସାହସ ଦେଇ ଆସିଛି ଓ ଏବେ ବି ଦେଉଛି।

ଉର୍ବଶୀ:ତାଙ୍କର ହାତ ଅଛି କିନ୍ତୁ ଅନ୍ୟମାନଙ୍କ ହାତ ପରି ତାହା ସକ୍ରିୟ ନୁହେଁ। ସେଥିପାଇଁ ଯେଉଁକାମ ହାତରେ କରିବା କଥା ସେହି କାର୍ଯ୍ୟକୁ ସେ ଗୋଡ଼ରେ କରିଥାନ୍ତି। ସେ ହେଲେ ଉର୍ବଶୀ ଦାସ, ବୟସ ପ୍ରାୟ ୪୫ ଟପିଲାଣି। ମାତା ପାର୍ବତୀ ଦେବୀ, ପିତା ରାମଚନ୍ଦ୍ର ଦାସ। ଘର କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ କଳସପୁର ଗ୍ରାମରେ। ସେ କୁହନ୍ତି, ‘ଜନ୍ମରୁ ମୋର ଦୁଇହାତ ଥାଇ ବି ନ ଥିଲାପରି। କାରଣ ତାହା କାମ କରେନା। ଏଥିପାଇଁ ମୁଁ ଗୋଡ଼ରେ ହାତର ଅଭାବକୁ ପୂରଣ କରିବାକୁ ପ୍ରୟାସ କଲି। ପ୍ରଥମେ ପ୍ରଥମେ ଏହି ସ୍ଥିତି ପାଇଁ ଟିକେ ଦୁଃଖ ଲାଗୁଥିଲା କିନ୍ତୁ ସମୟକ୍ରମେ ସେସବୁ ଅଭ୍ୟାସରେ ପରିଣତ ହୋଇଗଲା। ଏବେ ମୁଁ ହାତରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକୁ ଗୋଡ଼ରେ କରିପାରୁଛିି। ବିଶେଷ ଅସୁବିଧା ବି ହେଉନି। ଗୋଡ଼ ଦ୍ୱାରା କୁଲାରେ ଚାଉଳ ପାଛୋଡ଼ିବା ଠାରୁ ଆରମ୍ଭ କରି ଲୁଗା ସଫାକରିବା, ରୋଷେଇ କରିବା, ଘର ଓଳେଇବା, ସଜବାଜହେବା, ଲେଖିବା, ପନିପରିବା କାଟିବା ଆଦି ବିଭିନ୍ନ କାମକୁ ସହଜରେ କରିପାରୁଛି। ୧୯୮୭ ମସିହାରେ ମୁଁ ୧୦ମ ଶ୍ରେଣୀ ପାସ୍‌ କରିଥିଲି। ପରେ ଯୁକ୍ତ ୨ ପଢିଲି। ୧୯୯୪ରେ ରାଷ୍ଟ୍ରୀୟ ଭାଷା ପରିଷଦ ଦ୍ୱାରା ପରିଚାଳିତ ହିନ୍ଦୀରେ ଶାସ୍ତ୍ରୀ ପାସ୍‌ କଲି। ଏହା ସହିତ ଓଡ଼ିଆ ଓ ଇଂରାଜୀରେ ଟାଇପ କରିବା ମଧ୍ୟ ଶିଖିଛି। କେବଳ ସେତିକି ନୁହେଁ, ରାଉରକେଲା ନ୍ୟାଶନାଲ ମ୍ୟୁଜିକ୍‌ ଆସୋସିଏଶନ ଦ୍ୱାରା ଭୋକାଲ କ୍ଲାସିକାଲରେ ପ୍ରଥମ ଶ୍ରେଣୀରେ ପାସ୍‌ ହୋଇଛି। ଗୀତଗାଇବା ସହ ଗୋଡ଼ରେ ହାରମୋନିୟମ ବଜାଇ ବି ପାରୁଛି। ତା’ସହ ଘରର ଦାୟିତ୍ୱ ତୁଲାଇ ପାରୁଛି। କିନ୍ତୁ ପୋଷାକପତ୍ର ପିଡ଼୍ଦିବାରେ ଟିକେ ଅସୁବିଧା ହେଉଛି। ଏବେ ମୋପାଖରେ ମୋର ୮୫ବର୍ଷର ବୃଦ୍ଧା ମା ମୋ ପାଖରେ ରହୁଛି। କିନ୍ତୁ ପରିବାରର ଆର୍ଥତ୍କ ସ୍ଥିତି ବିଶେଷ ସ୍ବଚ୍ଛଳ ନ ଥିବାରୁ କଳସପୁର ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ କାର୍ଯ୍ୟ କରୁଛିି। ଏଠାରେ ପିଲାମାନଙ୍କୁ ପାଠପଢାଉଛି। ନାଚ ଶିଖାଉଛି। ଗୀତଗାଉଛି । ଯେତେବେଳେ ମୋତେ ୬ବର୍ଷ ହୋଇଥିଲା ସେତେବେଳେ ମୋର ଅନ୍ୟଭଉଣୀମାନେ ସ୍କୁଲରେ ଯାଇ ପାଠପଢୁଥିଲେ ମୁଁ କିନ୍ତୁ ଲୁଚିଲୁଚି ତାଙ୍କ ପାଠପଢାକୁ ଦେଖୁ୍‌ଥିଲି। ଘରେ ଆସି ସେମାନେ ଯେପରି ହାତରେ ଲେଖୁଥିଲେ ମୁଁ କିନ୍ତୁ ଗୋଡ଼ରେ ଲେଖିବା ଅଭ୍ୟାସ କରିଲି। ଅଭ୍ୟାସ ଦ୍ୱାରା ଧିରେଧିରେ ଏଥିରେ ସଫଳ ହେଲି। ପିଲାଦିନେ ବୋଉ କହିଥିଲା ଚଢ଼େଇଟିଏ ଡାଳରେ ବସିଲେ ସେ ଡାଳ ଭାଙ୍ଗି ଯିବାର ଭୟ ନ ଥାଏ। କାରଣ ନିଜ ଡେଣା ଉପରେ ଚଢ଼େଇର ଯେପରି ଦୃଢ଼ ବିଶ୍ବାସ ରହିଛି। ତାହା ଆଜି ମତେ ପ୍ରେରଣା ଦେଉଛି। ସେହିପରି ଆଜି କାହା ଉପରେ ନିର୍ଭରଶୀଳ ନ ହୋଇ ନିଜର ପ୍ରଗାଢ଼ ଆତ୍ମ ବିଶ୍ୱାସ ମତେ ଏକ ନିଆରା ପରିଚୟ ଦେଇଛି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନରୁ ମୋ ପ୍ରତିଭା ଲାଗି ମୋତେ ଅନେକ ପୁରସ୍କାର ଓ ସମ୍ମାନ ମିଳିପାରିଛି। ୧୯୯୬ରେ ଉତ୍କଳ ଦିବସଦିନ ରାଜ୍ୟସ୍ତରୀୟ ରେଡକ୍ରସ ଶିବିର ପାଳନ ଅବସରରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଛି। ରାଜ୍ୟସ୍ତରୀୟ ଭିନ୍ନକ୍ଷମ କ୍ରୀଡ଼ା ପ୍ରତିଯୋଗିତାରେ ୧୦୦ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିଲି। ଏଥିଯୋଗୁ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛି। ୧୯୯୭ରେ ଭଦ୍ରକଠାରେ କବି ପଦ୍ମନାଭ ସ୍ମୃତି ସମିତି ଦ୍ୱାରା ସମ୍ମାନିତ ହୋଇପାରିଛି। ୨୦୧୧ରେ କେନ୍ଦ୍ରାପଡ଼ା ଜିଲାରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଦ୍ୱାରା ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗାଁ କଲ୍ୟାଣ ସମିତି ତରଫରୁ ପୁରସ୍କୃତ ହୋଇଛି। ଅନ୍ତର୍ଜାତୀୟ ମହିଳା ଦିବସରେ ସମ୍ମାନିତ ହୋଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମହିଳା ସମବାୟ ନିଗମ ତରଫରୁ ମହିଳାଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ମାନିତ ହୋଇଥିଲି। କାହା ଉପରେ ନିର୍ଭରଶୀଳ ନ ହୋଇ ନିଜର କାର୍ଯ୍ୟକୁ ନିଜେ କରୁଥିବାରୁ ମତେ ଖୁସୀ ଲାଗେ।

ରାକେଶ: ସେ ଜଣେ ଦିବ୍ୟାଙ୍ଗ। କିନ୍ତୁ ନିଜର ଦୃଢ଼ମନୋବଳ ଯୋଗୁ ସେ ସାଧାରଣ ମଣିଷଙ୍କ ପରି ଅନେକ କାର୍ଯ୍ୟକୁ ସହଜରେ କରିପାରନ୍ତି। ସେ ହେଲେ ରାକେଶ କୁମାର ମହାରଣା। ପିତା ଗୋଲଖ ମହାରଣା, ମାତା ଛବି ଦେଈ। ଘର ଖୋର୍ଦ୍ଧା ଜିଲାର ଟାଙ୍ଗି ବ୍ଲକ ଅନ୍ତର୍ଗତ କୁହୁଡ଼ି ହାଟ ସାହିରେ। ରାକେଶ କୁହନ୍ତି, ଜନ୍ମରୁ ଦୁଇ ହାତର ପାପୁଲି ନାହିଁ। ପୁଣି ଡାହାଣ ଗୋଡ଼ ନାହିଁ । କେବଳ ଗୋଟିଏ ଗୋଡ଼ରେ ଚାଲିଥାଏ। ପାପୁଲି ନ ଥିବାରୁ ଦିବ୍ୟାଙ୍ଗ ହାତରେ ଚାମଚରେ ଚାପିଧରି ଖାଦ୍ୟ ଖାଇଥାଏ। ନିଜର ପୋଷାକ ପତ୍ରକୁ ସହଜରେ ବି ପିନ୍ଧି ପାରେ। ହାତରେ କଲମଧରି ସୁନ୍ଦର ହସ୍ତାକ୍ଷର ଲେଖିପାରୁଛି। କୁହୁଡ଼ି ପ୍ରାଥମିକ ବିଦ୍ୟାଳୟ ପରେ କ୍ଷେତ୍ରବାସୀ ଏମଇ ସ୍କୁଲରେ ୭ମ ଏବଂ ଜନତା ଉଚ୍ଚ ବିଦ୍ୟାଳୟରେ ୧୦ମ ପଢାସାରିଲି। ଏହାପରେ ସ୍ଥାନୀୟ ଜନତା କଲେଜରେ ବିଏ ଯାଏ ପଢିଲି। କିଛିଦିନଧରି ଏକ ଘରୋଇ କଲେଜରେ ସିଭିଲ ଇଞ୍ଜିନିୟରିଂ ଡିପ୍ଲୋମା କରୁଥିଲି ମାତ୍ର ପରିବାରରେ ଆର୍ଥତ୍କ ସ୍ଥିତି ବିଶେଷ ସ୍ବଚ୍ଛଳ ନ ଥିବାରୁ କିଛି ରୋଜଗାର ପାଇଁ ଚିନ୍ତା କରିଲି। ଏଥିପାଇଁ ପ୍ରଥମେ ନିଜର ପଢ଼ା ଖର୍ଚ୍ଚ ଉଠାଇବାକୁ କୁହୁଡ଼ି ବଜାରରେ ଏକ ବହି ଦୋକାନଟିଏ ଦେଇଥିଲି। ବଳକା ସମୟରେ ଘରେ କେତେଜଣ ସ୍କୁଲ ପିଲାଙ୍କୁ ଟିଉସନ କରାଉଥିଲି। ଏମିତିରେ ପୁଣିଖେଳବେଳେ ସମୟରେ କ୍ରିକେଟ, ଚେସ ଖେଳେ। ପୋଖରୀରେ ପହଁରିପାରେ। କିନ୍ତୁ ଗୋଟିଏ ଗୋଡ଼ରେ ଚାରିଆଡ଼େ ଚଲାବୁଲା କରେ। ସାଙ୍ଗମାନଙ୍କ ସହିତ ଖେଳିବା, ଦୌଡ଼ିଲାବେଳେ ଅନ୍ୟମାନେ ଚକିତ ହୋଇପଡ଼ନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟସ୍ତରୀୟ ଚେସ୍‌ ପ୍ରତିଯୋଗିତାରେ ଚାମ୍ପିୟନଶିପ ହୋଇଥିଲି। ମୋବାଇଲ, ଲାପ୍‌ଟପକୁ ଚଳାଇପାରୁଛି। ଆଗ୍ରହ ଯୋଗୁ କମ୍ପ୍ୟୁଟରରେ ପିଜିଡିସିଏ କୋର୍ସ ସାରିିଛି। ସରକାରୀ ଚାକିରିଟିଏ ପାଇଁ ଇଚ୍ଛା ରହିଛିି। ଏବେ ଆତ୍ମନିର୍ଭରଶୀଳ ପାଇଁ ଚଣ୍ଡେଶ୍ୱର ଛକଠାରେ ପ୍ରଧାନମନ୍ତ୍ରୀ ଜନଔଷଧ କେନ୍ଦ୍ରଟି ଖୋଲି ଏଠାରେ କାର୍ଯ୍ୟକରୁଛି। ଏଥିସହିତ ଏକଫର୍ନିଚର ଦୋକାନର ଦାୟିତ୍ୱ ତୁଲାଉଛି।

ଜଗନ୍ନାଥ:ଭଦ୍ରକ ଜିଲାର ଚାନ୍ଦବାଲି ଅନ୍ତର୍ଗତ ନୂଆଗାଁର ବାସିନ୍ଦା ହେଲେ ଜଗନ୍ନାଥ ସାହୁ। ବୟସ ପ୍ରାୟ ୪୨ବର୍ଷ। ପିତା ରମେଶ ସାହୁ। ମାତା କମଳିନୀ । ସେ କୁହନ୍ତି, ଜନ୍ମରୁ ଦିବ୍ୟାଙ୍ଗ। ଦୁଇଟି ହାତ ସମ୍ପୂର୍ଣ୍ଣଭାବେ ନାହିଁ। ମାତ୍ର ଗୋଡ଼ରେ ଚଲାବୁଲା କରିବା ସହିତ ଗୋଡ଼ ଆଙ୍ଗୁଠି ସାହାଯ୍ୟରେ କଲମ ଧରି ଲେଖାଲେଖି କରିପାରେ, ସାଇକେଲ ଚଳାଇପାରେ, ପାଣିରେ ପହଁରିପାରେ, କିନ୍ତୁ ପୋଷାକ ପିନ୍ଧିବାରେ ନିଜର ପରିବାର ଲୋକ ସହାଯାଗ କରିଥାନ୍ତି। ସ୍କୁଲ ପାଠ ସାରି ଏମିତିରେ କଲେଜରେ ବିଏ ଯାଏ ପଢ଼ିଲି। ଏବେ ପ୍ରତିଦିନ ସକାଳୁ ସକାଳୁ ଘରୁ ଅଫିସକୁ ବାହାରି ପଡ଼ିଥାଏ। ପ୍ରାୟ ୫୦ କି.ମି ଦୂର ବସରେ ଯିବାକୁ ପଡ଼େ। ଜିଲା ଶ୍ରମ କାର୍ଯ୍ୟାଳୟରେ ଜଣେ ୪ର୍ଥଣ୍ରେଣୀ କର୍ମଚାରିଭାବେ କାର୍ଯ୍ୟ କରୁଛି। ଅନ୍ୟପକ୍ଷେ ଅନେକ ସମୟରେ ନିଜର ତଥା ଅନ୍ୟ ଦିବ୍ୟାଙ୍ଗମାନଙ୍କ ନାନା ଅସୁବିଧା ଥିବା ସମସ୍ୟାକୁ ନେଇ ତା’ର ସମାଧାନ ପନ୍ଥା ନିମନ୍ତେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭକରି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ଅଭିଯୋଗ ଦରଖାସ୍ତକୁ ପଠାଇଥାଏ। ଏମିତିରେ ଗାଁର କାହାର କିଛି ସ୍ବାସ୍ଥ୍ୟ ସମ୍ପର୍କରେ ଅସୁବିଧାହେଲେ ଚିକିତ୍ସାଳୟକୁ ଯାଇଥାଏ। ସେମାନଙ୍କର କିପରି ଚିକିତ୍ସା ସୁବିଧା ହୋଇପାରିବ ତାହା ଜଣାଇଥାଏ। ଆବଶ୍ୟକସ୍ଥଳେ ନିଜେ ବି ନିଜର ଦୃଢ଼ମନୋବଳ ଓ ପରିଶ୍ରମ ମତେ ଆଗକୁ ଯିବାରେ ପ୍ରେରଣା ଦେଉଛି। ସାଧାରଣ ଲୋକଙ୍କ ପରି ଅନେକ କ୍ଷେତ୍ରରେ ସ୍ବାଭାବିକ ଭାବେ ଜୀବନଯାପନ କରୁଛି। ମୋର ପତ୍ନୀ ପ୍ରମିଳା, ୭ବର୍ଷର ପୁଅ ଓମ୍‌ ଜୟପ୍ରକାଶ ମୋତେ ସାହାଯ୍ୟ କରନ୍ତି। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମତେ ସାହା ହେଉଛନ୍ତି । ପିଲା ଦିନେ ମୋ ମାଉସୀ ରମାବତୀଙ୍କଠାରୁ ପାଠ ପଢ଼ିଥିଲି। ଗାଁରେ ବିବେକାନନ୍ଦ ଯୁବ ପରିଷଦର ଜଣେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଛି। ନିଜସ୍ବ ଢଙ୍ଗରେ ସାଧାରଣ ବ୍ୟକ୍ତିଙ୍କ ପରି ନିଜର କାର୍ଯ୍ୟ କରିପାରୁଛି। ମାତ୍ର ଦୃଢ଼ମନୋବଳ ଯୋଗୁ ସବୁକିଛି ସହଜ ଲାଗୁଛି। ତେବେ ଏମାନଙ୍କ ବ୍ୟତୀତ ଆହୁରି ଅନେକ ଦିବ୍ୟାଙ୍ଗମାନେ ଅଛନ୍ତି, ଯେଉଁମାନଙ୍କ ଅସାଧାରଣ ପ୍ରତିଭା ରହିଛି।

-ବନବିହାରୀ ବେହେରା, ଅଶୋକ ପଣ୍ଡା, ବନମାଳୀ ସେନାପତି, ଗୋପାଳ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri